ଇମ୍‌କା “କନେକସନ-୨୦୨୪’

ଉଜ୍ଜିବୀତ ହେଲା ପୁରୁଣା ଦିନର ସ୍ମୃତି


ଭୁବନେଶ୍ୱର,୨୮ା୭: ଭାରତୀୟ ଜନସଞ୍ଚାର ସଂସ୍ଥାନର ପୁରାତନ ଛାତ୍ର ସଂସଦ(ଇମ୍‌କା) ଓଡ଼ିଶା ଶାଖାର ବାର୍ଷିକ ସମ୍ମିଳନୀ ‘କନେକସନ-୨୦୨୪’ ଅନୁଷ୍ଠିତ ହୋଇଯାଇଛି । ଶନିବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ୧୯୯୩ ମସିହା ପ୍ରଥମ ବ୍ୟାଚରୁ ଆରମ୍ଭ କରି ୨୦୨୪ ବ୍ୟାଚ୍ ପର୍ଯ୍ୟନ୍ତ ପ୍ରାୟ ୨୦୦ ପୁରାତନ ଛାତ୍ରଛାତ୍ରୀ ଏକାଠୀ ହୋଇ ପୁରୁଣା ଦିନର ସ୍ମୃତିକୁ ତାଜା କରିଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରତ୍ୟେକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ପରେ ଆଇଆଇଏମ୍‌ସିର ପୁରାତନ ଛାତ୍ର ତଥା ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସ୍ବର୍ଗତ ବିରେନ୍ଦ୍ର ଦାସଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା ।
ପରେ ସଂସ୍ଥାନର ଛାତ୍ରଛାତ୍ରୀ, ଯେଉଁମାନେ ସର୍ବ ଭାରତୀୟ ସ୍ତରରେ ଭାରତୀୟ ସୂଚନା ସେବା ଓ ରାଜ୍ୟ ସ୍ତରରେ ରାଜ୍ୟ ସୂଚନା ସେବା କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଆଇଏମସି ଢେଙ୍କାନାଳର ନୂତନ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ଯୋଗ ଦେଇ ଆଇଆଇଏମସି କିପରି ଆଗକୁ ବଢ଼ିବ ସେଥିପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ । ସେହିପରି କନେକସନକୁ ରୋମାଞ୍ଚକର କରିବା ପାଇଁ ଏକ ଲକି ଡ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା । ଏହା ସହ ପୁରାତନ ଛାତ୍ରଛାତ୍ରୀମାନେ ବିଗତ ଦିନରେ କ୍ୟାମ୍ପସରେ ବିତିଥିବା ପ୍ରତ୍ୟେକ ସ୍ମତିକୁ ମନେ ପକାଇ ନିଜ ନିଜ ଭିତରେ ଆଲୋଚନା କରିଥିଲେ ।
ଶେଷରେ ଚଳିତ ଇମ୍‌କା ଓଡ଼ିଶାର ନବ ନିର୍ବାଚିତ ପ୍ୟାନେଲକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ସଭାପତି ଭାବେ ସନ୍ଦୀପ କୁମାର ସେଠୀ ,ଉପସଭାପତି ସଙ୍ଗୀତା ଅଗ୍ରୱାଲ ଓ ବ୍ୟୋମକେଶ ବିଶ୍ୱାଳ, ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ନାୟକଙ୍କ ସମେତ ଅନ୍ୟ ବିଜୟୀମାନଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ସ୍ତରରେ ଇମ୍‌କା କେୟାର ଫଣ୍ଡର ଅଧ୍ୟକ୍ଷ ନିତିନ ପ୍ରଧାନଙ୍କ ସମେତ ଆଇଆଇଏମସି ଆଲୁମିନି ଆସୋସିଏସ୍‌ନର ପୂର୍ବତନ ସଭାପତି ପ୍ରସାଦ ସନୟାଲ, ଆଇଆଇଏମସି ଆୱାର୍ଡ ସଂଯୋଜକ ଓ ଇମ୍‌କା ଉପସଭାପତି ପୂଜା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ କିଶନ ବରାଇ ସଭା ପରିଚାଳନା କରିଥିଲେ।

Share It

Comments are closed.