ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍ ଗୁଡିକ ପକ୍ଷରୁ ୟୁଏଲ୍‌ଏ ମଡେଲ୍ ଅଧୀନରେ ଏକ କିଲୋୱାଟ୍ ରୁଫ୍‌ଟପ୍ ସୋଲାର ଗ୍ରହଣୀୟତା ସ୍କିମ୍‌ର ଶୁଭାରମ୍ଭ

Share It

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ଭାରତର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନାର ଅଂଶ ବିଶେଷ ଭାବେ ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍‌ଏ) ମଡେଲ୍ ଅଧୀନରେ ଏକ ସ୍ୱତନ୍ତ୍ର ଏକ କିଲୋୱାଟ୍ ରୁଫ୍‌ଟପ୍ ସୋଲାର (ଆର୍‌ଟିଏସ୍‌) ସ୍କିମ୍ ଆଜି ଘୋଷଣା କରାଯାଇଛି।
ୟୁଏଲ୍‌ଏ ମଡେଲ୍‌, ଯୋଗ୍ୟ ଘରୋଇ ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ଭାବେ କମ୍ ମୂଲ୍ୟରେ ଏକ କିଲୋୱାଟ୍ ଚୁକ୍ତି ଚାହିଦା ସହ ରୁଫ୍‌ଟପ୍ ସୋଲାର ଗ୍ରହଣ କରିବାକୁ ସକ୍ଷମ କରିବ ଯାହା ଫଳରେ ମଧ୍ୟବିତ୍ତ ଶ୍ରେଣୀ ଓ ନିମ୍ନ ଆୟ ବର୍ଗର ପରିବାର ପାଖରେ ଅକ୍ଷୟ ଶକ୍ତି ପହଂଚିପାରିବ।
ଏକ କିଲୋୱାଟ୍‌ର ସୋଲାର ବ୍ୟବସ୍ଥା ସ୍ଥାପନ କରିବା ଲାଗି ସାଧାରଣତଃ ୬୫,୦୦୦-୭୫,୦୦୦ ଟଙ୍କା ଆବଶ୍ୟକ ହେଉଥିବା ବେଳେ ୟୁଏଲ୍‌ଏ ମଡେଲ୍‌ରେ ଗାହକମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ଦେବାକୁ ପଡ଼ିବ। ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ଗୁଡ଼ିକ ଦ୍ୱାରା ଅଧିକାଂଶ ବ୍ୟୟ ଭାରକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବ୍‌ସିଡି ଜରିଆରେ ଭରଣା କରାଯିବ। ଏହି ଅଭିଯାନରେ ନେଟ୍ ମିଟର୍‌କୁ ଡିସକମ୍‌ଗୁଡ଼ିକ ପ୍ରଦାନ କରିବେ ଏବଂ ସୋଲାର ଜେନେରସନ ମିଟର ଖର୍ଚ୍ଚ ଗ୍ରାହକଙ୍କୁ ବହନ କରିବାକୁ ପଡ଼ିବ। ଏକ କିଲୋୱାଟ୍‌ର ସୋଲାର ରୁଫଟପ୍ ବ୍ୟବସ୍ଥା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର (ଯଥାକ୍ରମେ ୩୦,୦୦୦ ଟଙ୍କା ଓ ୨୫,୦୦୦ ଟଙ୍କା) ୫୫,୦୦୦ ଟଙ୍କାର ସବ୍‌ସିଡି ପ୍ରଦାନ କରୁଛନ୍ତି।
ଏହି ଅବସରରେ ଚିଫ୍ ଓଡିଶା ପାୱାର ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଓ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, “ଏହି ଅଭିଯାନକୁ ସେହି ପରିବାରମାନଙ୍କ ଲାଗି ପ୍ରସ୍ତୁତ କରାଯାଇଛି ଯେଉଁମାନେ ସୌର ଶକ୍ତି ଗ୍ରହଣ କରିବାକୁ ଚାହୁଁଛନ୍ତି, କିନ୍ତୁ ଅପ୍‌ଫ୍ରଂଟ୍ ଖର୍ଚ୍ଚ ସେମାନଙ୍କ ପାଇଁ ବାଧା ହୋଇଛି। ଏକ କିଲୋୱାଟ୍‌ର ସୋଲାର ରୁଫ୍‌ଟପ୍ ବ୍ୟବସ୍ଥା ଜରିଆରେ ଘରେ ମାସକୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇପାରିବ ଯାହା ଫଳରେ ବାର୍ଷିକ ପ୍ରାୟ ୫୦୦୦ ଟଙ୍କାର ସଂଚୟ ହେବ। ଏହା ଦ୍ୱାରା ମାସିକ ବିଦ୍ୟୁତ୍ ବିଲ୍‌ରୁ ନିରନ୍ତର ଆଶ୍ୱସ୍ତି ମିଳିବ ଏବଂ ଓଡ଼ିଶାର ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ତାହା ସହାୟକ ହେବ।’’
ଏହି ସୌର ଶକ୍ତି ମଡେଲ୍ ଉପରେ ଆଲୋକପାତ କରି ଶ୍ରୀ କାଲେ କହିଛନ୍ତି ଯେ ଏହାକୁ ସ୍ଥାପନ କରିବାକୁ ଗ୍ରାହକମାନଙ୍କୁ ଏକ ଅନୁମତି ଫର୍ମ ପ୍ରଦାନ କରିବାକୁ ହେବ ଏବଂ ଏକକାଳୀନ ଦେୟ ଦେବାକୁ ହେବ।
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ସୋଲାର ପ୍ୟାନେଲ ସ୍ଥାପନାଠାରୁ ଆରମ୍ଭ କରି କ୍ୱାଲିଟି ଆସ୍ୟୁରାନ୍ସ ଏବଂ ବିକ୍ରି ପରବର୍ତ୍ତୀ ସେବା ପର୍ଯ୍ୟନ୍ତ ସମସ୍ତ ସେବାକୁ ସୁନିଶ୍ଚିତ କରିବେ। କମ୍ପାନି ପକ୍ଷରୁ ସିଷ୍ଟମ୍ ଉପକରଣ ଉପରେ ୫ ବର୍ଷର ୱାରେଣ୍ଟି ଓ ସୋଲାର ପ୍ୟାନେଲ୍ ଉପରେ ୨୫ ବର୍ଷର ୱାରେଣ୍ଟି ପ୍ରଦାନ କରାଯିବ।
ଏହି ସ୍କିମ୍ ଦ୍ୱାରା ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ଗ୍ରହଣୀୟତା ତ୍ୱରାନ୍ୱିତ ହେବା ଆଶା କରାଯାଉଛି ଯାହା ପରିବାରଗୁଡ଼ିକୁ ନିଜ ପାଇଁ ସ୍ୱଚ୍ଛ ଶକ୍ତି ସୃଷ୍ଟି କରିବା, ପାରମ୍ପରିକ ବିଦ୍ୟୁତ୍ ଉତ୍ସ ଉପରେ ନିର୍ଭରଶୀଳତା କମ୍ କରିବା ଏବଂ ଭାରତର ଅକ୍ଷୟ ଶକ୍ତି ବିପ୍ଳବ ପ୍ରତି ପ୍ରତ୍ୟକ୍ଷ ଯୋଗଦାନ ପ୍ରଦାନ କରିବାରେ ସଶକ୍ତ କରିବ।


Share It

Comments are closed.