ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ଗୁଡିକ ପକ୍ଷରୁ ମୌସୁମୀ ଋତୁରେ ବିଦ୍ୟୁତ ସମ୍ପତିର ସୁରକ୍ଷା ପାଇଁ ପଦକ୍ଷେପ
ଭୁବନେଶ୍ୱର: ପ୍ରବଳ ମୌସୁମୀ ବର୍ଷା ସମୟରେ ବିଦ୍ୟୁତ ଭିର୍ତିଭୂମି ପ୍ରତି ଦେଖାଦେଉଥିବା ଆହ୍ୱାନର ମୁକାବିଲା କରିବା ଲାଗି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସକମ ଗୁଡ଼ିକ ପକ୍ଷରୁ ଲାଇସେନ୍ସପ୍ରାପ୍ତ ଅଂଚଳଗୁଡ଼ିକରେ ବିଦ୍ୟୁତ ବ୍ୟବସ୍ଥା ଉପରେ ମାଡ଼ିଥିବା ବୃକ୍ଷଲତାକୁ ହଟାଇବା ଏବଂ ଗଛର ଡାଳ ଓ ଅଂଶଗୁଡ଼ିକୁ ଛେଦନ କରିବା ଅଭିଯାନ ଆରମ୍ଭ କରାଯାଇଛି।
ପ୍ରୋଜେକ୍ଟ କ୍ଲିନ-ଅପର ଅଂଶ ସ୍ୱରୂପ ଏହି ବ୍ୟାପକ ଅଭିଯାନର ଲକ୍ଷ୍ୟ ହେଉଛି ବିଦ୍ୟୁତ ଭିର୍ତିଭୂମିର ସୁରକ୍ଷା କରିବା, ଯୋଗାଣ ଭରସାଯୋଗ୍ୟତାରେ ଉନ୍ନତି ଆଣିବା ଏବଂ ଲୋକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା। ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବା ବେଳେ ଉର୍ବର ମୃତିକା ପାଇଁ ମୌସୁମୀ ଋତୁରେ ଗଛଲତାଗୁଡ଼ିକ ଶୀଘ୍ର ବଢ଼ି ବିଦ୍ୟୁତ ଭିର୍ତିଭୂମି ଉପରେ ମାଡ଼ିଯାଉଛି। ଗଛଲତାରେ ହେଉଥିବା ସେହି ବୃଦ୍ଧି ଅଣଦେଖା ରହିଗଲେ ତାହା ନେଟୱର୍କରେ ବିଭ୍ରାଟ ସୃଷ୍ଟି କରିଥାଏ ଯାହା ଫଳରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହେବା, ବିଭ୍ରାଟ ଘଟିବା ସହିତ ଖୁଂଟ ଓ ଟ୍ରାନ୍ସଫର୍ମରକୁ କ୍ଷତି ପହଂଚିଥାଏ।
ଗଛଲତା ଘଂଚ ହୋଇଯିବା ଦ୍ୱାରା ତାହା ଦୈନନ୍ଦିନ ରକ୍ଷଣାବେକ୍ଷଣ ଓ ନେଟୱର୍କ ନିରୀକ୍ଷଣ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଅଧିକ ବଢ଼ିଯାଇଥିବା ଗଛର ଶାଖା ଓ ଲତା ଯୋଗୁଁ ବିଦ୍ୟୁତ ଭିର୍ତିଭୂମି ପାଖରେ ପହଂଚି ହୁଏ ନାହିଁ, ଫଳରେ ରକ୍ଷଣାବେକ୍ଷଣରେ ଅସୁବିଧା ଉପୁଜେ। ଏହା ଅତ୍ୟାବଶ୍ୟକ ଯାଂଚ ଓ ମରାମତି କାମକୁ ବିଳମ୍ବିତ କରୁଥିବା ବେଳେ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପ୍ରତି ଗଭୀର ସୁରକ୍ଷା ବିପଦ ସୃଷ୍ଟି କରେ।
ଯୁଦ୍ଧକାଳୀନ ଭିର୍ତିରେ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ବଂଟନ ଟ୍ରାନ୍ସଫର୍ମର ଓ ଝୁଲୁଥିବା ତାର ଉପରେ ମାଡ଼ିଯାଇଥିବା ବୃକ୍ଷଲତାକୁ ହଟାଇବା ଉପରେ ଗୁରୁତ୍ୱାରୋପ କରାଯାଉଛି। ବର୍ତମାନ ସୁଦ୍ଧା ଲାଇସେନ୍ସପ୍ରାପ୍ତ ଅଂଚଳର ୪୦,୦୦୦ରୁ ଅଧିକ ସ୍ଥାନରେ ୧ ଲକ୍ଷରୁ ଅଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ତାଲିମପ୍ରାପ୍ତ କର୍ମଚାରୀମାନଙ୍କୁ ଆଧୁନିକ ଟୁଲ ଓ ସୁରକ୍ଷା ଗିୟର ପ୍ରଦାନ କରାଯାଇଛି ଯାହା ଫଳରେ ସେମାନେ ପରିବେଶ ଓ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ସେହି କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିପାରୁଛନ୍ତି।
ଏହି ପଦକ୍ଷେପ ଦ୍ୱାରା ତାର ଦେଖାଯିବାରେ ଉନ୍ନତି ହୋଇଛି ଏବଂ ବୃକ୍ଷଲତା ମାଡ଼ିଯିବା ଜନିତ ବିଦ୍ୟୁତ ବିଭ୍ରାଟର ବିପଦ ଉଲ୍ଲେଖନୀୟ ଭାବେ କମ୍ ହୋଇପାରିଛି। ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମଗୁଡ଼ିକ ଏହି ଅଭିଯାନକୁ ନିୟମିତ ବ୍ୟବଧାନରେ କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଛନ୍ତି ଯାହାକୁ ଉନ୍ନତ ନିରୀକ୍ଷଣ ଓ ଅତ୍ୟାଧୁନିକ ଉପକରଣ ଜରିଆରେ ସମର୍ଥନ କରାଯିବ। ତାହା ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଓ ସୁରକ୍ଷିତ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିବ।
ଓଡ଼ିଶାର ସବୁଜିମା ହେଉଛି ତାହାର ଗର୍ବ, କିନ୍ତୁ ମୌସୁମୀ ଋତୁରେ ବଢ଼ୁଥିବା ଗଛଲତା ଉପରେ ନଜର ନ ରଖିଲେ ତାହା ବିଦ୍ୟୁତ ଭିର୍ତିଭୂମିକୁ ବିପଦରେ ପକାଇପାରେ। ଏହି ବୃକ୍ଷଲତା ହଟାଇବା ଅଭିଯାନ ହେଉଛି ବିଦ୍ୟୁତ ସଂପତି ଓ ଗ୍ରାହକମାନଙ୍କୁ ସୁରକ୍ଷିତ ରଖିବା ଏବଂ ଗ୍ରାହକଙ୍କ ପାଖରେ ବିଦ୍ୟୁତ ପହଂଚାଇବା ଦିଗରେ ଏକ ପ୍ରତିଷେଧମୂଳକ ପଦକ୍ଷେପ।
Comments are closed.