ଭାରତର ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନ ଓ ବିରଳ ଧାତୁ ଖନନ କେନ୍ଦ୍ରକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଉଛି ଟାଟା ପାଓ୍ୱାର ନେତୃତ୍ୱାଧୀନ ଦକ୍ଷିଣ ଓଡ଼ିଶା ବିତରଣ କମ୍ପାନୀ – ଟିପିଏସ୍ଓଡିଏଲ୍

Share It

ସୁଖୋଇ ଲଢୁଆ ବିମାନ ଇଞ୍ଜିନ ନିର୍ମାଣଠାରୁ ଆରମ୍ଭ କରି ଧାତୁ ଖନନ ୟୁନିଟ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ଗୁଣାତ୍ମକ ବିଜୁଳି ଯୋଗାଣ

ବ୍ରହ୍ମପୁର, ଅଗଷ୍ଟ ୧୫: ଟାଟା ପାଓ୍ୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ଅନ୍ୟତମ ଯୌଥ ଉଦ୍ୟୋଗ, ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ଦେଶର ଦୁଇ ପ୍ରମୁଖ ଅନୁଷ୍ଠାନକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରୁଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ଥିବା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍(ହାଲ୍) ଓ ଆଣବିକ ଶକ୍ତି ବିଭାଗ ଅଧିନରେ ଥିବା ଛତ୍ରପୁରସ୍ଥିତ ଇଣ୍ଡିଆନ୍ ରେୟାର ଆର୍ଥସ୍ ଲିମିଟେଡ୍ (ଆଇଆରଇଏଲ୍) ପ୍ରତିଷ୍ଠାନକୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ଯୋଗାଣ ହେଉଛି ।

ଗତ ଏପ୍ରିଲରୁ ଜୁନ ମଧ୍ୟରେ ଆଇଆରଇଏଲ୍ କୁ ବିଜୁଳି ଯୋଗାଣରେ କୌଣସି ବାଧା ଉତ୍ପନ୍ନ ହୋଇନଥିବା ବେଳେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଜୁଳି ସେବା ସୁନିଶ୍ଚିତ ହୋଇପାରିଛି । ଟିପିଏସ୍ଓଡିଏଲର ବିଶ୍ୱସନୀୟ ଭିତ୍ତିଭୂମି ଓ ସଠିକ ଗ୍ରୀଡ୍ ପରିଚାଳନା ଦ୍ୱାରା ଏହା ସମ୍ଭବ ହୋଇପାରିଛି । ସେହିଭଳି ସୁଖୋଇ ଯୁଦ୍ଧବିମାନର ଇଞ୍ଜିନ ନିର୍ମାଣ ପାଇଁ ଦେଶର ପ୍ରମୁଖ କାରଖାନା ସୁନାବେଡ଼ାସ୍ଥିତ ହାଲ୍ କୁ ମଧ୍ୟ ଗୁଣାତ୍ମକ ବିଜୁଳି ଯୋଗାଣ ହେଉଛି । ଟିପିଏସ୍ଓଡିଏଲ୍ ଦ୍ୱାରା ସ୍ଥାପିତ ସୁନାବେଡ଼ା ଗ୍ରୀଡ୍ ସବଷ୍ଟେସନରୁ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ସ୍ୱତନ୍ତ୍ର ୧୩୨ କେଭି ଲାଇନ ଯୋଗେ ହାଲ୍ କୁ ବିଜୁଳି ଯୋଗାଣ ହେଉଛି ।

ସେହିଭଳି ଆଣବିକ ଶକ୍ତି, ପ୍ରତିରକ୍ଷା ଜ୍ଞାନକୌଶଳ ଓ ଅତ୍ୟାଧୁନିକ ଉତ୍ପାଦନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନ କରୁଥିବା କରୁଥିବା ଛତ୍ରପୁରସ୍ଥିତ ଖଣିଜ ପ୍ରକ୍ରିୟାକରଣ କେନ୍ଦ୍ର ଆଇଆରଇଏଲ୍ କୁ ଛତ୍ରପୁର ଗ୍ରୀଡ୍ ସବଷ୍ଟେସନରୁ ସ୍ୱତନ୍ତ୍ର ୧୩୨ କେଭି ଲାଇନ ଯୋଗେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ହେଉଛି । ଏହାସହ ଲାଇନର ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ଟିପିଏସ୍ଓଡିଏଲ୍ ଦ୍ୱାରା କରାଯାଉଛି ।

ଏହି ଗ୍ରୀଡଗୁଡ଼ିକର ଭୂମିକା କେବଳ ବିଜୁଳି ଯୋଗାଣରେ ସୀମିତ ନୁହେଁ । ପରିଚାଳନାଗତ ରୂପାନ୍ତରଣ, ରକ୍ଷଣାବେକ୍ଷଣ କାର୍ଯ୍ୟ, ଟାଉନସିପ୍ କୁ ବିଜୁଳି ଯୋଗାଣ, ଭବିଷ୍ୟତରେ ପ୍ରକଳ୍ପ ସଂପ୍ରସାରଣ ନିମନ୍ତେ ଆବଶ୍ୟକୀୟ ପ୍ରସ୍ତୁତି ସାଙ୍ଗକୁ ବିଜୁଳି ସମ୍ୱନ୍ଧୀୟ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ପ୍ରଦାନରେ ଟିପିଏସ୍ଓଡିଏଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାସହ ଟିପିଏସଓଡିଏଲ୍ ନିଜର ଅତ୍ୟାଧୁନିକ ବିଦ୍ୟୁତ ପରିଚାଳନା ବ୍ୟବସ୍ଥା, ଯେପରି, ସ୍ୱୟଂଚାଳିତ ତ୍ରୁଟି ଚିହ୍ନଟ, ଡ୍ରୋନ୍ ଆଧାରିତ ନିରୀକ୍ଷଣ, ରିଅଲ-ଟାଇମ୍ ଲୋଡ୍ ମନିଟରିଂ ଏବଂ ଦ୍ରୁତ-ପ୍ରତିକ୍ରିୟା ରକ୍ଷଣାବେକ୍ଷଣ ସ୍କ୍ୱାଡ୍ ମାଧ୍ୟମରେ ଏହି ପ୍ରତିଷ୍ଠାନଗୁଡ଼ିକୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ କରାଇପାରିଛି ।

ଭାରତର ଏହି ଦୁଇ ପ୍ରମୁଖ ଅନୁଷ୍ଠାନ ଦେଶ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନ କରୁଥିବା ହେତୁ ଏଠାକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ କରି ଟିପିଏସ୍ଓଡିଏଲ୍ ଗର୍ବ ଅନୁଭବ କରେ । ଜାତୀୟ ପ୍ରତିଷ୍ଠାନଗୁଡ଼ିକର ଉଚ୍ଚସ୍ତରୀୟ କାର୍ଯ୍ୟକ୍ଷେତ୍ରକୁ ସୁନିଶ୍ଚିତ ରଖିବା ସହ ଉତ୍ପାଦନ ସମୟସୀମାରେ ଯେପରି କୌଣସି ବ୍ୟାହାତ ନହୁଏ, ସେଦିଗରେ ଟିପିଏସ୍ଓଡିଏଲ୍ ସର୍ବଦା ସଚେତନ ରହିଛି । ହାଲ୍ ର ପ୍ରତିରକ୍ଷା ଉତ୍ପାଦନଠାରୁ ଆରମ୍ଭ କରି ଆଇଆରଇଏଲ୍ ର ଏରୋସ୍ପେସ୍ ଉପାଦାନ, ସବୁଜ ଶକ୍ତି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଓ ବିରଳ ଧାତୁ ଉତ୍ପାଦନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ଷେତ୍ରକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ହେଉଛି ।

ପ୍ରତିରକ୍ଷା ଓ ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଦିନକୁ ଦିନ ଅଧିକ ଆତ୍ମନିର୍ଭରଶୀଳ ହେଉଥିବା ବେଳେ, ଦେଶର ଏହିଭଳି ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ବିଜୁଳି ଯୋଗାଣର ଦାୟିତ୍ୱ ଟିପିଏସ୍ଓଡିଏଲ୍ ଉପରେ ରହିଛି । ଟିପିଏସ୍ଓଡିଏଲ୍ ନିରବଚ୍ଛିନ୍ନ ବିଜୁଳି ଯୋଗାଣ କରି ନିଜର ଦାୟିତ୍ୱ ସମ୍ପାଦନରେ ପୂର୍ଣ୍ଣ ପ୍ରତିବଦ୍ଧତାର ପ୍ରମାଣ ଦେବା ସହ ଜାତୀୟ ସେବାରେ ଏକ ମାନଦଣ୍ଡ ଭାବେ ଉଭା ହୋଇଛି । କମ୍ପାନୀ ସୁନିଶ୍ଚିତ କରୁଛି ଯେ, ଦେଶର ସୃଜନଶୀଳତା ଓ ସୁରକ୍ଷା କାର୍ଯ୍ୟକ୍ଷେତ୍ର ସଦାସର୍ବଦା ଆଲୋକିତ ରହୁ ।


Share It

Comments are closed.