ଟିପିଡବ୍ଲ୍ୟୁଓଡିଏଲ୍ ତରଫରୁ ଅଟିଜିମ୍ ସଚେତନତା ପାଇଁ ଚିତ୍ରାଙ୍କନ କର୍ମଶାଳା ଆୟୋଜିତ
ବୁର୍ଲା: ଅଟିଜିମ୍ ସଚେତନତା ମାସର ଅଂଶ ଭାବେ ତଥା ଟାଟା ପାୱାରର ଫ୍ଲାଗସିପ୍ ପ୍ରୋଗ୍ରାମ୍ “ପେ’ ଅଟେନସନ୍” ଅଧୀନରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ତରଫରୁ ଅଟିଜିମ୍ ସଚେତନତାକୁ ନେଇ ଏକ ସ୍ୱତନ୍ତ୍ର ଚିତ୍ରାଙ୍କନ କର୍ମଶାଳାର ଆୟୋଜନ କରାଯାଇଅଛି ।
ଏହି କାର୍ଯ୍ୟକ୍ରମର ନେତୃତ୍ୱ ଦେଇଥିଲେ କେରଳରୁ ଆସିଥିବା ପ୍ରତିଭାଶାଳୀ ଏବଂ ନ୍ୟୁରୋଡାଇଭର୍ଜେଣ୍ଟ ଶିଳ୍ପୀ ଅଜୟ ଜୟପ୍ରକାଶ । ତାଙ୍କ ନେତୃତ୍ୱରେ କମ୍ପାନୀର ଅନେକ କର୍ମଚାରୀ ତଥା ବିଭାଗୀୟ ମୁଖ୍ୟମାନେ ଏହି ପ୍ରେରଣାଦାୟକ ଚିତ୍ରାଙ୍କନ କର୍ମଶାଳାରେ ଏକଠି ହୋଇଥିଲେ । ଅଜୟ ଅଂଶଗ୍ରହଣକାରୀ ମାନଙ୍କୁ ଜେଣ୍ଟ୍ୟାଙ୍ଗଲ୍ ଆର୍ଟ (Zentangle Art) ସହିତ ପରିଚିତ କରାଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଜେଣ୍ଟ୍ୟାଙ୍ଗଲ୍ ଆର୍ଟ ଫର୍ମ ହେଉଛି ଏକ ଶାନ୍ତ ଏବଂ ସଂରଚିତ ଚିତ୍ରକଳା ପଦ୍ଧତି ଯାହା ଲୋକମାନଙ୍କୁ, ବିଶେଷକରି ଅଟିଜିମ୍ ଥିବା ବ୍ୟକ୍ତି ବିଶେଷମାନଙ୍କୁ ନିଜକୁ ପ୍ରକାଶ କରିବାରେ ଏବଂ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ ।
ଏହି କର୍ମଶାଳା କେବଳ ଏକ ଚିତ୍ରକଳା ଅଧିବେଶନ ନଥିଲା ବରଂ ଏହା ଏକ ମହତ୍ୱପୂର୍ଣ୍ଣ ଅଭିଜ୍ଞତା ଥିଲା । ଯାହା ଏହି କର୍ମଶାଳାର ଅଂଶଗ୍ରହଣକାରୀମାନଙ୍କୁ ସୃଜନଶୀଳ ଏବଂ ସହାନୁଭୂତିଶୀଳ ଉପାୟରେ ଅଟିଜିମ୍ ଦୁନିଆ ସହିତ ସଂଯୋଗ କରିବାକୁ ଅନୁମତି ଦେଇଥିଲା । ଏହି କର୍ମଶାଳାରେ ଟିପିଡବ୍ଲ୍ୟୁଓଡିଏଲର ଦୁଇ ଜଣ କର୍ମଚାରୀ, ଯାହାଙ୍କ ପିଲାମାନେ ଏହି ଅଟିଜିମ୍ ଦ୍ୱାରା ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ସନ୍ତାନଙ୍କ ସହ ଭାବାବେଗକୁ ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ । ସେମାନଙ୍କର ହୃଦୟସ୍ପର୍ଶୀ ଅଭିଜ୍ଞତା ସମସ୍ତଙ୍କୁ ଅଟିଜିମ୍ ଦ୍ୱାରା ପ୍ରଭାବିତ ପିଲାମାନଙ୍କ ପାଇଁ ସାମାଜରେ ଥିବା ଚ୍ୟାଲେଞ୍ଜ ବିଷୟରେ ଅବଗତ କରାଇଥିଲା ।
ଏହି କର୍ମଶାଳା ମାଧ୍ୟମରେ ଟିପିଡବ୍ଲ୍ୟୁଓଡିଏଲ୍ ସାମାଜିକ ଦାୟିତ୍ୱବୋଧର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଅଛି । ଏହି କର୍ମଶାଳା ମାଧ୍ୟମରେ କମ୍ପାନୀ ତରଫରୁ ସ୍ପଷ୍ଟ ବାର୍ତ୍ତା ରଖିବାକୁ ପ୍ରୟାସ କରିଥିଲା ଯେ, ଅଟିଜିମ୍ ଥିବା ବ୍ୟକ୍ତିମାନେ ବୋଝ ନୁହଁନ୍ତି, ବରଂ ସେମାନେ ଅନ୍ତର୍ଦୃଷ୍ଟି, ଶକ୍ତି, ଜ୍ଞାନ ଓ ଅଦ୍ୱିତୀୟ ପ୍ରତିଭାର ଏକ ଉଦାହରଣ ହୋଇପାରନ୍ତି ।
ଟିପିଡବ୍ଲ୍ୟୁଓଡିଏଲ୍ ଆଗାମୀ ଦିନରେ ମଧ୍ୟ ଏହି ପ୍ରକାର ସଚେତନତା ସମାବେଶ କାର୍ଯ୍ୟକାରୀ କରିବାରେ ପ୍ରତିବଦ୍ଧ ରହିବ ।
Comments are closed.