ନବରଙ୍ଗପୁର ସହରରେ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ କଲା ଟିପିଏସ୍ଓଡିଏଲ୍

Share It

ବିଜୁଳି ଚାହିଦା ମେଣ୍ଟାଇବାକୁ ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି
ଉପକୃତ ହେବେ ୧୪ ହଜାରରୁ ଅଧିକ ଉପଭୋକ୍ତା ଓ କ୍ଷୁଦ୍ର ଉଦ୍ୟୋଗ
 
ବ୍ରହ୍ମପୁର, ଏପ୍ରିଲ: ଚଳିତ ଗ୍ରୀଷ୍ମପ୍ରବାହରେ ବିଜୁଳି ଚାହିଦାକୁ ଦୃଷ୍ଟିରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍ ) ପକ୍ଷରୁ ନବରଙ୍ଗପୁର ସହରରେ ଥିବା ୫ ଏମଭିଏ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମରକୁ ୧୦ ଏମଭିଏ ଟ୍ରାନ୍ସଫର୍ମରରେ ପରିଣତ କରାଯାଇଛି । ଏହି ଉନ୍ନତୀକରଣ ଫଳରେ ନବରଙ୍ଗପୁର ପ୍ରାଇମେରୀ ସବଷ୍ଟେସନର ସମୁଦାୟ କ୍ଷମତା ୧୩ ଏମଭିଏରୁ ବଢ଼ି ୧୮ ଏମଭିଏରେ ପହଞ୍ଚିଛି । ଯାହାଫଳରେ ସହରର ୧୪ ହଜାରରୁ ଅଧିକ  ଉପଭୋକ୍ତାଙ୍କୁ ପୂର୍ବାପେକ୍ଷା ଅଧିକ ଭରସାଯୋଗ୍ୟ ବିଜୁଳି ସେବା ମିଳିପାରୁଛି ।
 
କେବଳ ଘରୋଇ ଉପଭୋକ୍ତା ନୁହଁନ୍ତି, ବରଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ମଧ୍ୟ ଗୁଣାତ୍ମକ ବିଜୁଳି ଯୋଗାଣରେ ଏହି ନୂତନ ଭିତ୍ତିଭୂମି ବିଶେଷ ଭାବେ ସହାୟକ ହୋଇପାରିବ । ସହର ଓ ଆଖପାଖ ଅଞ୍ଚଳରେ ଅନେକ ରାଇସ୍ ମିଲ୍, କାଜୁ ପ୍ରକ୍ରିୟାକରଣ ୟୁନିଟ୍ ଓ ଅନ୍ୟାନ୍ୟ କ୍ଷୁଦ୍ର ଉଦ୍ୟୋଗମାନ ରହିଛି । କମ୍ପାନୀ ଏହି ବ୍ୟାବସାୟିକ କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ଓ ସ୍ଥାୟୀ ବିଜୁଳି ଯୋଗାଣ ସୁନିଶ୍ଚିତ କରିଛି ।
 
ନବରଙ୍ଗପୁର ସହର ବାସିନ୍ଦା ସୁଧାଂଶୁ ଶେଖର ପରିଡ଼ା କହିଛନ୍ତି ଯେ, ସହରରେ ବିଜୁଳିକୁ ନେଇ କୌଣସି ବଡ଼ ସମସ୍ୟା ନାହିଁ । ଆମକୁ ପ୍ରାୟତଃ ସବୁ ସମୟରେ ବିଜୁଳି ସେବା ମିଳୁଛି । ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି ହେବା ଫଳରେ ବିଜୁଳି ସେବା ଆହୁରି ସୁବିଧାଜନକ ହେବ ବୋଲି ଆଶା କରୁଛୁ । ଗ୍ରୀଷ୍ମ ସମୟରେ ଟିପିଏସ୍ଓଡିଏଲ୍ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରୁଥିବା ଦେଖି ସେ ଖୁସିବ୍ୟକ୍ତ କରିଛନ୍ତି ।
 
କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ଦାୟିତ୍ୱ । ସେହିପରି ବିଜୁଳି ଚାହିଦା ଦିନକୁ ଦିନ ବଢ଼ୁଥିବା ହେତୁ ତଦନୁଯାୟୀ ଭିତ୍ତିଭୂମି ବିକାଶର ଆବଶ୍ୟକତାକୁ ଆମେ ଅଗ୍ରାଧିକାର ଦେଇଆସିଛୁ । ଚଳିତ ଗ୍ରୀଷ୍ମରେ ଭିତ୍ତିଭୂମି ଉନ୍ନତୀକରଣ କରି ଉପଭୋକ୍ତାଙ୍କୁ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଜୁଳି ଯୋଗାଣ ନିମନ୍ତେ ଆମେ ନିରନ୍ତର ପ୍ରୟାସ ଜାରି ରଖିଛୁ । ”


Share It

Comments are closed.