ଚଳିତ ମାର୍ଚ୍ଚ ମାସ ପାଇଁ ‘ପେ ଆଣ୍ଡ ଉଇନ୍’ ଯୋଜନା ଅଧିନରେ 342 ଜଣ ଭାଗ୍ୟଶାଳୀ ବିଜେତା ଜିତିବେ ଆକର୍ଷଣୀୟ ଉପହାର
ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଗତ ଫେବୃୟାରୀ ମାସ ପାଇଁ ‘ପେ ଆଣ୍ଡ ଉଇନ୍ ସ୍କିମ୍’ ମାଧ୍ୟମରେ ଭାଗ୍ୟଶାଳୀ ବିଜେତାମାନଙ୍କର ଚୟନ ଅନଲାଇନ୍ ମାଧ୍ୟମରେ କରାଯାଇଅଛି । ଏହି ସାମ୍ୱାଦିକ ସମ୍ମିଳନୀ ସମ୍ୱଲପୁର ସ୍ଥିତ ଟିପିଡବ୍ଲ୍ୟୁଓଡିଏଲ କମର୍ସିଆଲ୍ ବିଭାଗର ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବର୍ମାଙ୍କ ବ୍ୟତୀତ ଅନ୍ୟାନ୍ୟ ବିଭାଗର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାର୍ଚ୍ଚ ମାସ ପାଇଁ ଏହି ଭାଗଶାଳୀ ବିଜେତାଙ୍କ ସଂଖ୍ୟା ଦୁଇଗୁଣିତ ହେବାକୁ ଯାଉଥିବା ନେଇ କମ୍ପାନୀର ସିଇଓ ଶ୍ରୀ ପ୍ରବୀଣ ବର୍ମା ଘୋଷଣା କରିଥିଲେ । ଯାହର ଅର୍ଥ ଚଳିତ ମାର୍ଚ୍ଚ ମାସ ପାଇଁ ଏହି ଯୋଜନା ଅଧିନରେ ଭାଗ୍ୟଶାଳୀ ବିଜେତାଙ୍କ ସଂଖ୍ୟା ପ୍ରତି ସବ୍-ଡିଭିଜନରେ 3 ବଦଳରେ 6 ହେବ । ତେଣୁ ଟିପିଡବ୍ଲ୍ୟୁଓଡିଏଲର ସମସ୍ତ 57ଟି ବିଦ୍ୟୁତ୍ ଉପଖଣ୍ଡରେ ମୋଟ୍ ଭାଗ୍ୟଶଳୀ ବିଜେତାଙ୍କ ସଂଖ୍ୟା ହେବ 342 ଜଣ ।
ଅନ୍ୟପଟେ ଗତ ଫେବୃୟାରୀ ମାସ ପାଇଁ ଏହି ଯୋଜନା ଅଧିନରେ ସମଗ୍ର ପଶ୍ଚିମ ଓଡ଼ିଶାରୁ 5 ଲକ୍ଷ 50 ହଜାର 585 ଜଣ ବିଦ୍ୟୁତ୍ ଉପଭୋକ୍ତା ଯୋଗ୍ୟ ବିବେଚିତ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରୁ ସ୍ୱୟଂ ଚାଳିତ କମ୍ପ୍ୟୁଟର ଦ୍ୱାରା ଲକି ଡ୍ର ମାଧ୍ୟମରେ 57ଟି ଉପଖଣ୍ଡରୁ 171 ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଜେତା ଭାବେ ଚୟନ କରାଯାଇଥିଲା । ବଲାଙ୍ଗିର ବିଦ୍ୟୁତ୍ ମଣ୍ଡଳରୁ 88 ହଜାର 126, ବରଗଡ଼ ମଣ୍ଡଳରୁ 34 ହଜାର 235, କଳାହାଣ୍ଡି ମଣ୍ଡଳରୁ 1 ଲକ୍ଷ 9 ହଜାର 302, ରାଉରକେଲା ମଣ୍ଡଳରୁ 1 ଲକ୍ଷ 89 ହଜାର 971 ଏବଂ ସମ୍ୱଲପୁର ବିଦ୍ୟୁତ୍ ମଣ୍ଡଳରୁ 1 ଲକ୍ଷ 28 ହଜାର 951 ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ଅନ୍ତଭୁକ୍ତ କରାଯାଇଥିଲା ।
ଯେଉଁଥିରେ ବଲାଙ୍ଗିର ମଣ୍ଡଳର 11ଟି ଉପଖଣ୍ଡ ନିମନ୍ତେ 33 ଜଣ ବିଜେତା, ବରଗଡ଼ ମଣ୍ଡଳର 9ଟି ଉପଖଣ୍ଡ ନିମନ୍ତେ 27 ଜଣ ବିଜେତା, କଳାହାଣ୍ଡି ମଣ୍ଡଳର 10ଟି ଉପଖଣ୍ଡ ନିମନ୍ତେ 30 ଜଣ ବିଜେତା, ରାଉରକେଲା ମଣ୍ଡଳର 13ଟି ଉପଖଣ୍ଡ ନିମନ୍ତେ 39 ଜଣ ବିଜେତା ଏବଂ ସମ୍ୱଲପୁର ମଣ୍ଡଳରୁ 14ଟି ଉପଖଣ୍ଡ ନିମନ୍ତେ 42 ଜଣ ବିଜେତାଙ୍କ ନାମ କମ୍ପ୍ୟୁଟର୍ ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତରେ ଚୟନ କରାଯାଇଥିଲା । ସେହି ସମସ୍ତ ବିଜେତାଙ୍କୁ ଆଗାମୀ 7 ଦିନ ମଧ୍ୟରେ ନିକଟସ୍ତ ଟିପିଡବ୍ଲ୍ୟୁଓଡିଏଲ୍ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରି ପୁରଷ୍କାର ପ୍ରଦାନ କରାଯିବ । ସମସ୍ତ ଉପଭୋକ୍ତାଙ୍କ ନାମ କମ୍ପାନୀର ୱେବସାଇଟରେ ମଧ୍ୟ ଉପଲବ୍ଧ କରାଯିବ ।
ପ୍ରକାଶଥାଉ କି, ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ସେବାରେ ଉନ୍ନତିକରଣ ପାଇଁ ମାସିକ ବିଦ୍ୟୁତ୍ ବିଲ୍ ପୈଠ କରିବା ଉପଭୋକ୍ତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଲକ୍ଷ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ସେମାନଙ୍କ ମାସିକ ବିଲ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତ୍ୟେକ ମାସରେ ପ୍ରଦାନ କରିଥାନ୍ତି । ଏହି ସ୍କିମ୍ ମାଧ୍ୟମରେ ସେହି ଉପଭୋକ୍ତାମାନଙ୍କୁ କମ୍ପାନୀ ତରଫରୁ ପୁରଷ୍କାର ସ୍ୱରୂପ ଏକ ଛୋଟ ଉପହାର ପ୍ରଦାନ କରାଯିବା ସହିତ ଅନ୍ୟ ଉପଭୋକ୍ତାଙ୍କୁ ମାସିକ ବିଦ୍ୟୁତ୍ ବିଲ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଦାନ କରିବା ପାଇଁ ଉତ୍ସାହିତ କରାଯାଇଥାଏ ।
ବିଦ୍ୟୁତ୍ ବିଲ୍ ଆଦାୟ ଦ୍ୱାରା କମ୍ପାନୀ ବିଦ୍ୟୁତ୍ ସେବା ସହିତ ଜଡ଼ିତ ସମସ୍ତ ସଂସ୍ଥା ଯଥା- ଉତ୍ପାଦନ, ପ୍ରସାରଣ, ବିତରଣ ନିମନ୍ତେ ଆବଶ୍ୟକ ରାଜସ୍ୱ ଆଦାୟ କରିଥାନ୍ତି । ଯାହା ଦ୍ୱାରା ଏହି ସମସ୍ତ ବିଭାଗର ଉନ୍ନତିକରଣ କରାଯାଇଥାଏ । ତେଣୁ ଗ୍ରାହକଙ୍କୁ ପ୍ରତ୍ୟେକ ମାସରେ ବିଦ୍ୟୁତ୍ ବିଲ୍ ପୈଠ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଥିଲେ ।
Comments are closed.