ଟିସିଏସ୍ ପକ୍ଷରୁ ଆଡ୍ଭାନ୍ସଡ୍ ରିସର୍ଚ୍ଚ ସେଂଟର ଫର ଇନୋଭେସନ୍ ଇନ୍ ଡିଜିଟାଲ୍ ହେଲ୍ଥ, ରୋବୋଟିକ୍ସ ଆଣ୍ଡ୍ ଇଂଟେଲିଜେଂଟ୍ ସିଷ୍ଟମ୍ସ ପାଇଁ ଆଇଆଇଟି ଖଡ଼ଗପୁର ସହ ସହଯୋଗିତା
ଭୁବନେଶ୍ୱର: ଅଗ୍ରଣୀ ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ପକ୍ଷରୁ ଆଇଆଇଟି ଖଡ଼ଗପୁର ସହଯୋଗିତାରେ ଆଡ୍ଭାନ୍ସଡ୍ ରିସର୍ଚ୍ଚ ସେଂଟର ସ୍ଥାପନ କରାଯାଇଛି ଯାହା ଏଜ୍ କମ୍ପ୍ୟୁଟିଂ, ଏମ୍ବେଡେଡ୍ ସିଷ୍ଟମ୍ସ ଓ ଏଆଇକୁ ବ୍ୟବହାର କରି ଡିଜିଟାଲ୍ ହେଲ୍ଥ, ରୋବୋଟିକ୍ସ ଓ ଇଂଟେଲିଜେଂଟ୍ ସିଷ୍ଟମ୍ ଉପରେ ଉଚ୍ଚ ମାନର ଗବେଷଣା କରିବ। କୋଲକାତାର ନିଉ ଟାଉନ୍ ସ୍ଥିତ ଅନୁଷ୍ଠାନର ରିସର୍ଚ୍ଚ ପାର୍କରେ ସ୍ଥାପନ କରାଯାଇଥିବା ଟିସିଏସ୍ ରିସର୍ଚ୍ଚ ସେଂଟର୍ରେ ତିନିଟି ଅତ୍ୟାଧୁନିକ ଲାବୋରେଟୋରି ରହିବ ଯେଉଁଠାରେ ୧୫୦ରୁ ଅଧିକ ଟିସିଏସ୍ ବୈଜ୍ଞାନିକ କାର୍ଯ୍ୟ କରିବେ।
ରିସର୍ଚ୍ଚ ସେଂଟର୍ରେ ଥିବା ଲାବୋରେଟୋରିରେ ସେନ୍ସିଂ ଆଣ୍ଡ୍ କମ୍ୟୁନିକେସନ୍, ଏଜ୍ କମ୍ପ୍ୟୁଟିଂ ଆଣ୍ଡ୍ ଆନାଲିଟିକ୍ସ ଏବଂ ରୋବୋଟିକ୍ସ ଆଣ୍ଡ୍ ଭିଜୁଆଲ୍ କମ୍ପ୍ୟୁଟିଂ ଭଳି ତିନି ପ୍ରକାର ଡୋମେନ୍ ରହିବ। ଗବେଷକମାନେ ଲାବୋରେଟୋରିର ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ଏଜ୍ କମ୍ପ୍ୟୁଟିଂ, ଏମ୍ବେଡେଡ୍ ସିଷ୍ଟମ୍ସ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ କାମ କରିବେ।
ଟିସିଏସ୍ର ମୁଖ୍ୟ ବୈଷୟିକ ଅଧିକାରୀ ଡ. ହେରିକ୍ ଭିନ୍ କହିଛନ୍ତି ଯେ, “ଟିସିଏସ୍ ପାରମ୍ପରିକ ଭାବେ ଗବେଷଣା ଓ ଶିକ୍ଷାର ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକ ସହିତ ଶିଳ୍ପର ରହିଥିବା ସମ୍ପର୍କରେ ପରିବର୍ତନ ଆଣୁଛି। ଜ୍ଞାନ ଏବଂ ପ୍ରତିଭାର ଅଧିକ ଦକ୍ଷ ବିନିମୟକୁ ସକ୍ଷମ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆମର ଗବେଷଣା ଏବଂ ଉଦ୍ଭାବନ ପରୀକ୍ଷାଗାରଗୁଡ଼ିକୁ ସମନ୍ୱିତ କରିବା ଆମର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ଆମେ କିଛି ବର୍ଷ ପୂର୍ବେ ଚେନ୍ନାଇର ଆଇଆଇଟି ମାଡ୍ରାସ ରିସର୍ଚ୍ଚ ପାର୍କରେ ଉପସ୍ଥିତି ସହ ଏହି ଯାତ୍ରା ଆରମ୍ଭ କରିଥିଲୁ। ଆଇଆଇଟି ଖଡଗପୁର ରିସର୍ଚ୍ଚ ପାର୍କରେ ଆମର ଗବେଷଣା ଓ ଉଦ୍ଭାବନ ପରୀକ୍ଷାଗାର ପ୍ରତିଷ୍ଠା ଏହି ରଣନୀତିକ ଯାତ୍ରାର ପରବର୍ତୀ ପଦକ୍ଷେପ । ଆଇଆଇଟି କେଜିପିରେ ଆମେ ଅନେକ ଗବେଷଣା କାର୍ଯ୍ୟକ୍ରମପାଇଁ ପାଣ୍ଠି ଯୋଗାଉଛୁ। ସେମାନଙ୍କ ସହ ସମନ୍ୱୟ ରକ୍ଷା କଲେ ଉଭୟଙ୍କ ପାଇଁ ବହୁତ ଉନ୍ନତ ଫଳାଫଳ ମିଳିବ।’’
ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ବୀରେନ୍ଦ୍ର କୁମାର ତିୱାରୀ କହିଛନ୍ତି ଯେ, “କୋଲକାତାର ନୂତନ ଭାବେ ପ୍ରତିଷ୍ଠିତ ଆଇଆଇଟି କେଜିପି ରିସର୍ଚ୍ଚ ପାର୍କରେ ଟିସିଏସ୍ ସହିତ ଉନ୍ନତ ଗବେଷଣା କେନ୍ଦ୍ର ଆମର ସହଯୋଗକୁ ସୁଦୃଢ଼ କରିବ। ସ୍ୱାସ୍ଥ୍ୟସେବା ଏବଂ ଅଟୋମେସନ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଦିଗରେ ଏହି ସହଯୋଗିତା ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଦର୍ଶାଉଛି। ଆଇଆଇଟି ଖଡଗପୁରର ବିଶ୍ୱସ୍ତରୀୟ ଗବେଷଣା କ୍ଷମତାକୁ ଟିସିଏସର ଶିଳ୍ପ-ଅଗ୍ରଣୀ ଦକ୍ଷତା ସହିତ ମିଶାଇ ଆମେ ପରିବର୍ତନମୂଳକ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଜୀବନର ଗୁଣବତା ବୃଦ୍ଧି କରିପାରିବ, ସ୍ୱାସ୍ଥ୍ୟସେବା ପ୍ରଦାନରେ ଉନ୍ନତି ଆଣିପାରିବ ଏବଂ ବୁଦ୍ଧିମାନ ବ୍ୟବସ୍ଥାର ବଢୁଥିବା କ୍ଷେତ୍ରରେ ଯୋଗଦାନ କରିପାରିବ। ଏହି କେନ୍ଦ୍ର କେବଳ ଗବେଷଣାକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଆନ୍ତଃବିଭାଗୀୟ ସହଯୋଗ ପାଇଁ ସୁଯୋଗ ସୃଷ୍ଟି କରିବ ଏବଂ ପରବର୍ତୀ ପିଢ଼ିର ପ୍ରଯୁକ୍ତି ବିଶାରଦ ଏବଂ ଗବେଷକମାନଙ୍କୁ ଭବିଷ୍ୟତ ଗଠନ ପାଇଁ ସଶକ୍ତ କରିବ।’’
Comments are closed.