ଟାଟା ଷ୍ଟିଲ୍ ପକ୍ଷରୁ ପ୍ରଥମ ଭାରତୀୟ ଇସ୍ପାତ ନିର୍ମାତା ଭାବେ କାର୍ବନ ନିର୍ଗମନ ହ୍ରାସ ପାଇଁ ବାୟୋଚାର୍ର ଶୁଭାରମ୍ଭ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ସଫଳତାର ସହ ଜାମସେଦପୁର କାରଖାନାରେ ବାୟୋଚାର୍କୁ ବ୍ୟବହାର କରାଯାଇଛି। ବାୟୋଚାର୍ ହେଉଛି ଏକ ବାୟୋମାସ୍ ଭିର୍ତ୍ତିକ ଚାର୍କୋଲ୍ (ଅଙ୍ଗାର)। ଦୀର୍ଘସ୍ଥାୟିତ୍ୱ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ଏହା ଦୋହରାଉଥିବା ବେଳେ ୨୦୪୫ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ପ୍ରତି ଏହା କମ୍ପାନିକୁ ନିକଟତର କରାଇଛି।
୨୦୨୩ ଜାନୁଆରିରୁ କମ୍ପାନି ଜୀବାଶ୍ମ ଇନ୍ଧନ ବଦଳରେ ବାୟୋଚାର୍ ବ୍ୟବହାର ଆରମ୍ଭ କରିଥିବା ବେଳେ ବର୍ତମାନ ସୁଦ୍ଧା ୩୦,୦୦୦ ଟନ୍ ଜୀବାଶ୍ମ ଇନ୍ଧନକୁ ବଦଳାଇପାରିଛି। ଏଥିରେ ବାର୍ଷିକ ୫୦,୦୦୦ ଟନ୍ରୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ୍ ହ୍ରାସ କରିବାର ସୁଯୋଗ ରହିଛି। ପଲଭରାଇଜଡ୍ କୋଇଲା ଇଞ୍ଜେକ୍ସନକୁ ଆଂଶିକ ପରିବର୍ତନ କରି ଏହା ଶକ୍ତି ଦକ୍ଷତାକୁ ଉନ୍ନତ କରିବ ଯାହା ପରିବେଶ ଦାୟିତ୍ୱ ଓ ସ୍ଥାୟୀ ଶିଳ୍ପ ପ୍ରକ୍ର୍ରି୍ରୟା ପ୍ରତି ଟାଟା ଷ୍ଟିଲ୍ର ସମର୍ପଣ ଭାବକୁ ଦର୍ଶାଉଛି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍ର ସୁରକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାୟିତ୍ୱ ଉପସଭାପତି ରାଜୀବ ମଙ୍ଗଲ କହିଛନ୍ତି ଯେ, “କୋଇଲା ଭଳି କାର୍ବନ ସମ୍ବେଦନଶୀଳ ଜୀବାଶ୍ମର ପ୍ରତିବଦଳରେ ବାୟୋଚାର୍ ଇନ୍ଧନର ବ୍ୟବହାରର ଶୁଭାରମ୍ଭ କେବଳ ଟାଟା ଷ୍ଟିଲ୍ ନୁହେଁ ସମଗ୍ର ଭାରତୀୟ ଇସ୍ପାତ ଶିଳ୍ପ ପାଇଁ ଏକ ବଡ଼ ପଦକ୍ଷେପ। ଇସ୍ପାତ ପ୍ରସ୍ତୁତି ପ୍ରକ୍ରିୟାରେ ବିକଳ୍ପ ଇନ୍ଧନର ନିର୍ଭରଶୀଳତାକୁ ଏହା ବୃଦ୍ଧି କରିବା ସହିତ ସବୁଠୁ ଦାୟିତ୍ୱବାନ ଉପାୟରେ ଇସ୍ପାତ ଉତ୍ପାଦନ ପ୍ରତି ଟାଟା ଷ୍ଟିଲ୍ ପ୍ରତିବଦ୍ଧତାକୁ ଏହା ଦୋହରାଇଛି। ଏହି ସଫଳତା ଏକ ଦୀର୍ଘସ୍ଥାୟୀ ଇସ୍ପାତ କ୍ଷେତ୍ର ଗଠନ କରିବା ଲାଗି ଆମକୁ ଆତ୍ମବିଶ୍ୱାସ ପ୍ରଦାନ କରିଛି ଯାହା ଭାରତରେ ଇସ୍ପାତ ଉତ୍ପାଦନରେ ଏକ ମାନଦଣ୍ଡ ଭାବେ କାର୍ଯ୍ୟ କରିବ।’’
ଏହି ଅଭିନବ ପଦକ୍ଷେପରେ ଟୁୟେରେସ୍ ଜରିଆରେ ବ୍ଲାଷ୍ଟ୍ଫର୍ଣ୍ଣେସ୍ରେ ପଲଭରାଇଜଡ୍ ବାୟୋଚାର୍ ଭର୍ତି କରାଯାଏ। ଭାରତରେ ପ୍ରଥମ ଥର ପାଇଁ ବ୍ଲାଷ୍ଟ ଫର୍ଣ୍ଣେସ୍ରେ ସଫଳତାର ସହ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଗୋଟିଏ ବ୍ଲାଷ୍ଟ ଫର୍ଣ୍ଣେସ୍ରେ ସଫଳତାର ସହ ପରୀକ୍ଷଣ କରିବା ପରେ ତାହାକୁ ଜାମସେଦପୁର କାରଖାନାର ଅନ୍ୟ ତିନିଟି ବ୍ଲାଷ୍ଟ ଫର୍ଣ୍ଣେସ୍କୁ ସମ୍ପ୍ରସାରଣ କରାଯାଇଛି।
ଚଳିତ ବର୍ଷ ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାର କଟକ ଜିଲ୍ଲାର ଆଠଗଡ଼ରେ ଥିବା ଫେରୋକ୍ରୋମ୍ କାରଖାନାରେ ଫେରୋକ୍ରୋମ୍ ପ୍ରସ୍ତୁତିରେ ବାୟୋମାସ୍ ବ୍ୟବହାରର ପରୀକ୍ଷଣ କରାଯାଇଥିଲା। ଏହା କମ୍ପାନିର ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନ୍ (ଏଫ୍ଏଏମ୍ଡି) ଅଧୀନରେ ପରିଚାଳିତ ହେଉଛି। ଭାରତର ପ୍ରଥମ କମ୍ପାନି ଭାବେ ପାରମ୍ପରିକ କାର୍ବନ ଉତ୍ସ ପାଇଁ ସ୍ଥାୟୀ ବିକଳ୍ପ ଭାବେ ଏହି ପରୀକ୍ଷଣ କରାଯାଇଛି।
ଏକ କାର୍ବନ ନିଉଟ୍ରାଲ୍ ଇସ୍ପାତ କମ୍ପାନି ଭାବେ ଟାଟା ଷ୍ଟିଲ୍ ପକ୍ଷରୁ ଏହାର ଉତ୍ପାଦନ ବ୍ୟବସ୍ଥାରେ ସୋଲାର ଏବଂ କଂଚାମାଲ ପରିବହନ ଓ ଚୂଡ଼ାନ୍ତ ଉତ୍ପାଦକୁ ଜାହାଜରେ ପରିବହନ ପାଇଁ ବାୟୋଫୁଏଲ୍ ଭଳି ବିକଳ୍ପ ଶକ୍ତି ବ୍ୟବହାର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମ ଭାରତୀୟ ଇସ୍ପାତ କମ୍ପାନି ଭାବେ ଟାଟା ଷ୍ଟିଲ୍ ପକ୍ଷରୁ ବି୨୪ ବାୟୋଫୁଏଲ୍ ମିଶ୍ରଣ ସହିତ ଭିଏଲ୍ଏସ୍ଏଫ୍ଓ ବ୍ୟବହାର କରି ଅଷ୍ଟ୍ରେଲିଆ ପୂର୍ବତଟରୁ ଭାରତ ପର୍ଯ୍ୟନ୍ତ ଜାହାଜ ପରିବହନ କରାଯାଇଥିଲା।
ଦୀର୍ଘାସ୍ଥାୟୀ ବିକାଶ ଏବଂ ବିଶ୍ୱସ୍ତରୀୟ ମାନକକୁ ପାଳନ କରିବା ଲାଗି ଟାଟା ଷ୍ଟିଲ୍କୁ ଲଗାତାର ସପ୍ତମ ବର୍ଷ ପାଇଁ ୱାର୍ଲଡଷ୍ଟିଲ୍ ପକ୍ଷରୁ ଷ୍ଟିଲ୍ ସଷ୍ଟେନେବିଲିଟି ଚମ୍ପିଆନ୍ ମାନ୍ୟତା ପ୍ରଦାନ କରାଯାଇଛି। କମ୍ପାନିର ଜାମସେଦପୁର କାରଖାନା ପ୍ରଥମ ଇସ୍ପାତ କାରଖାନା ଭାବେ ରେସପନସିବଲ୍ ଷ୍ଟିଲ୍ ସାର୍ଟିଫିକେସନ୍ ହାସଲ କରିଛି। ଏହା ପରେ ଯଥାକ୍ରମେ କଳିଙ୍ଗନଗର ଓ ମେରାମଣ୍ଡଳୀ କାରଖାନା ସେହି ସାର୍ଟିଫିକେସନ ହାସଲ କରିଥିଲେ। ଭାରତରେ ଟାଟା ଷ୍ଟିଲ୍ର ୯୦ ପ୍ରତିଶତ କାର୍ଯ୍ୟକ୍ଷେତ୍ରକୁ ରେସପନ୍ସିବଲ୍ ଷ୍ଟିଲ୍ ସାର୍ଟିଫିକେସନ୍ ମିଳିଛି।
Comments are closed.