ଖରାଦିନେ ସୁପରଫୁଡ ଭାବେ କାମ କରିଥାଏ ଛତୁଆ
ଖରାଦିନେ ଛତୁଆ ସୁପରଫୁଡ ତଥା ଶକ୍ତିର ଗନ୍ତା ଘର ରୂପେ କାର୍ଯ୍ୟ କରିଥାଏ । ଏହା ଖୁବ ସ୍ୱାସ୍ଥ୍ୟ ଉପଯୋଗୀ ହେବା ସହିତ ଏହାର ବହୁ ପୋଷକ ତ୍ତତୱ ରହିଛି ଯାହା ଶରୀରରେ ବିଭିନ୍ନ ସକରାତ୍ମକ ପ୍ରଭାବ ପକାଇଥାଏ । ଏହାର ବହୁ ପ୍ରକାରର ଉପଯୋଗିତା ରହିବା ସହିତ ଏହା ପ୍ରୋଟିନର ଏକ ଉତ୍ତମ ସ୍ରୋତ ଅଟେ । ଛତୁଆ ଚୁଡା, ଗହମ ଏବଂ ବିଭିନ୍ନ ଡ୍ରାଏ ଫ୍ରୁଟର ମିଶ୍ରଣରେ ପ୍ରସ୍ତୁତ ଏକ ପାଉଡର ଅଟେ । ଏହା ସ୍ୱତନ୍ତ୍ରଭାବେ ଭାରତର ବିଭିନ୍ନ ସ୍ଥାନରେ ଗ୍ରହଣ କରାଯାଇଥାଏ । ଓଡିଶାରେ ଛତୁଆ ଏବଂ ବିହାର, ରାଜସ୍ଥାନ ଇତ୍ୟାଦି ଉତ୍ତର ଭାରତରେ ସତୁ ଭାବେ ପରିଚିତ । ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ . . . . .
୧. ପ୍ରୋଟିନ, କାର୍ବୋହାଇଡ୍ରେଟ, ଫାଇବର ଏବଂ ବିଭିନ୍ନ ମାଇକ୍ରୋନ୍ୟୁଟ୍ରିଏଂଟର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ପେଟକୁ ଖୁବ ଶୀଘ୍ର ଫୁଲ କରିଥାଏ ଏବଂ ବହୁ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଏବଂ ଏହା ଶରୀରର ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।
୨. ଖରାଦିନେ ଏହା ଶରୀରରେ ଶୀତଳତା ସୃଷ୍ଟି କରିଥାଏ ଏବଂ ପେଟ ଥଣ୍ଡା କରିଥାଏ ।
୩. ଏହା ହଜମ କ୍ରିୟା ସକ୍ରିୟା କରିଥାଏ ଏବଂ କୋଷ୍ଠକାଠିନ୍ୟ ଏବଂ ଏସିଡିଟିର ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ମିଠା ଛତୁଆ ଠାରୁ ଲୁଣ ଲେମ୍ବୁ ଯୁକ୍ତ ଛତୁଆ ଶରୀର ପାଇଁ ଖୁବ ଭଲ ।
୪. ଏହାର ପୋଷକତତ୍ତ୍ୱ ଶରୀରେ ହାଡ ଶକ୍ତ କରିବା ସହିତ କେଶକୁ ମଜବୁତ କରିଥାଏ ଏବଂ ତ୍ୱଚାରେ ଚମକ ଆଣିଥାଏ ।
୫. ଛତୁଆରେ ନିମ୍ନ ମାନର ଗ୍ଲାକୋମିକ-ଇଣ୍ଡେକ୍ସ ଥିବାରୁ ଏହା ଡାଇବେଟିସ ରୋଗ ପାଇଁ ଖୁବ ହିତକାରୀ ଅଟେ ।
୬. ଛତୁଆରେ କ୍ୟାଲସିୟମ ଏବଂ ଆଇରନର ପରିମାଣ ଭରପୁର ମାତ୍ରାରେ ଥିବାରୁ ରକ୍ତ ସଂଚାଳନ ସଠିକ କରିଥାଏ ଏବଂ ଇନଫ୍ଲାମେସନର ସମସ୍ୟା ଦୂର କରିଥାଏ ।
ଛତୁଆର ଉପକାରିତା ସହିତ କିଛି ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ରହିଛି । ଅଧିକ ମାତ୍ରାରେ ଏହାର ସେବନ ଦ୍ୱାରା ଗ୍ୟାସ ଏବଂ ବଦହଜମିର ସମସ୍ୟା ଦେଖାଯାଇଥାଏ । ଗଡବ୍ଲାଡର ଏବଂ କିଡନୀ ଷ୍ଟୋନରେ ପିଡୀତ ରୋଗୀ ଛତୁଆ କମ ପରିମାଣର ସେବନ କରିବା ଉଚିତ ।
Comments are closed.