ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ, ୯ ମୃତ


ଆଫଗାନିସ୍ତାନର ଉତ୍ତରାଞ୍ଚଳରେ ଥିବା ମଜାର୍-ଇ-ଶରିଫ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଛି । ମିନି ବସରେ ବିସ୍ଫୋରଣ ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ୧୫ ଜଣ ଗୁରୁତର ହୋଇପଡିଥିବା ଜଣାପଡିଛି । ବଲଖ୍‌ ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ‘ସହରର ୩ଟି ଭିନ୍ନ ସ୍ଥାନରେ ତିନିଟି ମିନି ବସରେ ପୂର୍ବରୁ ବୋମା ଖଞ୍ଜା ଯାଇଥିଲା । ତାହା ବିସ୍ଫୋରଣ ଘଟିବା ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି’।

କେବଳ ସେତିକି ନୁହେଁ ବୁଧବାର ସନ୍ଧ୍ୟାରେ ରାଜଧାନୀ କାବୁଲର ଏକ ମସଜିଦ ଭିତରେ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିଲେ । ମସଜିଦ ଭିତରେ ଥିବା ଏକ ପଙ୍ଖାରେ ବୋମା ଖଞ୍ଜାଯାଇଥିଲା ।

ଗତ କିଛିଦିନ ହେଲା ଆଫଗାନିସ୍ତାନରେ ଏଭଳି ଘଟଣା ବେଶ୍‌ ବୃଦ୍ଧି ପାଇଛି । ବିଶେଷ କରି ଆତଙ୍କବାଦୀଙ୍କ ଟାର୍ଗେଟରେ ମଜାର-ଇ-ଶରିଫ୍‌ ସହର ରହିଛି । ଗତ ଏପ୍ରିଲ ୨୮ ତାରିଖରେ ମଧ୍ୟ ବସରେ ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୩ ଜଣ ଗୁରୁତର ହୋଇଥିଲେ । କେବଳ ସେତିକି ନୁହେଁ ଗତ ଏପ୍ରିଲ ୨୧ ତାରିଖରେ ନମାଜ ପଢୁଥିବା ସମୟରେ ଡୋକାନ୍‌ ମସଜିଦରେ ବୋମା ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୧୨ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୫୮ ଜଣ ଆହତ ହୋଇଥିଲେ ।

ଗତ ବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାନରେ ତାଲିବାନ ବଳପୂର୍ବକ ସରକାର ଗଠନ କରିବା ପରେ ଶାନ୍ତି ପ୍ରତିଷ୍ଠା କରିଥିବା ଦାବି କରିଥିଲା । କିନ୍ତୁ ଅନ୍ତରାଷ୍ଟ୍ରୀୟ ଏଜେନ୍ସି ଏବଂ ବିଶ୍ଳେଷକମାନେ ତାଲିବାନର ଏହି ଦାବି ଉପରେ ପ୍ରଶ୍ନ ଉଠାଉଛନ୍ତି । ସୁରକ୍ଷା ଏକ୍ସପର୍ଟଙ୍କ କହିବା କଥା ଯେ, ଆଫଗାନିସ୍ତାନରେ ପୁଣିଥରେ ଆତଙ୍କବାଦ ଗତିବିଧି ବଢିବାର ସମ୍ଭାବନା ରହିଛି । ଏହା ସହିତ ବଡ ଧରଣର ଆକ୍ରମଣ କରିବା ପାଇଁ ମଧ୍ୟ ଆତଙ୍କବାଦୀ ମାନେ ଯୋଜନା କରୁଥିବା କୁହାଯାଉଛି ।


Share It

Comments are closed.