ଚୀନ୍‌ରେ କରୋନାର ୪୬ଟି ନୂଆ ମାମଲା, ୩ ମୃତ


ଚୀନ୍‌ରେ କରୋନା ଭାଇରସ୍ ସଂକ୍ରମଣର ୪୬ଟି ନୂଆ ମାମଲା ସାମ୍‌ନାକୁ ଆସିଛି । ଏହାବ୍ୟତୀତ କରୋନା ସଂକ୍ରମଣ ଯୋଗୁଁ ଏଠାରେ ପୁଣି ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଚୀନ୍‌ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୩୯ରେ ପହଂଚିଛି । ଚୀନ୍‌ର ନ୍ୟାସ୍‌ନାଲ ହେଲ୍‌ଥ କମିଶନର ସୂଚନା ମୁତାବକ, ଗତକାଲି ଚୀନ୍‌ରେ ୧୧୮୩ଟି କରୋନା ସଂକ୍ରମଣ ମାମଲା ଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪୯ ଜଣ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି । ଏବେବି ୭୩୪ ଜଣଙ୍କର ଚିକିତ୍ସା ଚାଲିଛି ଓ ସେମାନଙ୍କ ମଧ୍ୟରୁ ୩୭ ଜଣଙ୍କ ସ୍ଥିତି ଗୁରୁତର ରହିଛି । ଏହି ନୂଆ ମାମଲା ସହ ଚୀନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୯୫୩ରେ ପହଂଚିଛି । ଏମାନଙ୍କ ମଧ୍ୟରେ ସାମିଲ ୧୦୮୯ ଜଣ ରୋଗୀଙ୍କର ଚିକିତ୍ସା ହେଉଥିବା ବେଳେ ମୋଟ ୭୭୫୨୫ ଜଣ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

ଚୀନ୍‌ରେ ଗତକାଲି ସାମ୍‌ନାକୁ ଆସିଥିବା ୪୬ଟି ନୂଆ ମାମଲା ମଧ୍ୟରୁ ୪୨ ଜଣ ଆକ୍ରାନ୍ତ ବିଦେଶରୁ ଆସିଥିଲେ । ଏଥିସହିତ ୪ ଜଣ ଆକ୍ରାନ୍ତ ସ୍ଥାନୀୟ ଅଟନ୍ତି । ସେହିପରି ଚୀନ୍‌ରେ ସଂକ୍ରମଣର କେନ୍ଦ୍ର କୁହାଯାଉଥିବା ହୁୱେଇ ପ୍ରାନ୍ତରେ କରୋନା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଚୀନ୍ ପ୍ରଶାସନର ସୂଚନା ଅନୁସାରେ, ଦେଶରେ ୧୦୯୨ଟି ଏଭଳି ମାମଲା ରହିଛି ଯେଉଁଠାରେ ରୋଗୀଙ୍କ ଦେହରେ କରୋନା ଭୁତାଣୁ ରହିଥିବା ବେଳେ ସେମାନଙ୍କଠାରେ ରୋଗର କୌଣସି ଲକ୍ଷଣ ଦେଖାଯାଉନାହିଁ । ଚୀନ୍‌ରେ ପ୍ରାୟ ୩ ମାସ ପରେ ଲକ୍‌ଡାଉନନ୍ ଶେଷ ହୋଇଛି, ଏହି କାରଣରୁ ବହୁସଂଖ୍ୟାରେ ଲୋକ ବିଦେଶରୁ ଫେରୁଛନ୍ତି । କିନ୍ତୁ ଏହାଯୋଗୁଁ ଚୀନ୍‌ରେ କରୋନା ରୋଗୀଙ୍କ ସଂଖ୍ୟା ପୁଣିଥରେ ବଢିବା ଆରମ୍ଭ ହୋଇଯାଇଛି ।


Share It

Comments are closed.