କରୋନା ବିରୋଧୀ ଲଢେଇରେ ହାରିଗଲେ ଡାକ୍ତର


କରୋନା ଯୁଦ୍ଧରେ ଜଣେ ଯୁବ ଡାକ୍ତର ପ୍ରାଣ ହରାଇଥିବା ବେଳେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ବର୍ଷୀୟାନ ନେତା ତଥା ପୂର୍ବତନ ବାଚସ୍ପତି। କରୋନା ଯୁଦ୍ଧରେ ଲଢେଇ କରି ନିଜେ ସେଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଭାଟକୁମରଡା ଗୋଷ୍ଠୀ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ବି. କ୍ରିଷ୍ଣା।

ପୁରୁଷୋତ୍ତମପୁର ବ୍ଲକର କରୋନା ଯୋଦ୍ଧା ଡାକ୍ତର ବି.କ୍ରିଷ୍ଣାଙ୍କ ଆଜି ଭୋରରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଜଣେ ଜନସେବୀ ଡାକ୍ତରଙ୍କ ମୃତ୍ୟୁରେ ପୁରୁଷୋତ୍ତମପୁର ସହର ଓ ବ୍ଲକ ସ୍ତବ୍ଧ ହୋଇଯାଇଛି। ଚାରିଆଡେ ଶୋକର ଛାୟା। ଖବର ପାଇ ଭଟକୁମାରଡା ଗୋଷ୍ଠୀ ଡାକ୍ତରଖାନାରେ ସିଡିଏମଓ ଉମାଶଙ୍କର ମିଶ୍ର, ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଓ ମେଡିକାଲ କର୍ମଚାରୀ ପହଞ୍ଚି ଗଭୀର ଶୋକ ପ୍ରକଟ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭଟକୁମାରଡାଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ୪୫ ବର୍ଷୀୟ ଡ଼ ବି. କ୍ରିଷ୍ଣା ଗତ ଅଢେଇ ବର୍ଷ ହେଲା ଏଠାରେ ନିଯୁକ୍ତି ପାଇ ଲୋକଙ୍କୁ ଅନବରତ ସେବା ଯୋଗାଇ ଆସୁଥିଲେ। କରୋନା ଲଢେଇରେ ସେ ଅହରହ ସାମିଲ ରହି ଭଟକୁମାରଡା ପଞ୍ଚାୟତର କୋଭିଡ କେର ହୋମରେ ସରପଞ୍ଚ ବିମ୍ବାଧର ବେହେରାଙ୍କ ସହ ମିଳିତ ଭାବେ କରୋନା ରୋଗୀଙ୍କ ଚିକିତ୍ସା କରି ଆସୁଥିଲେ। ଗତ ୪ ତାରିଖରେ ବଡ ବରଗାଁ ପଞ୍ଚାୟତର ରାଣୀଗାଁରେ ହୋଇଥିବା କରୋନା କ୍ୟାମ୍ପରେ ନିଜର ସ୍ୱାବ ଟେଷ୍ଟ କରାଇଥିଲେ । ଟେଷ୍ଟିଂ ରିପୋର୍ଟ ପଜିଟିଭ ଆସିବାରୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଉମାଶଙ୍କର ମିଶ୍ରଙ୍କ ପରାମର୍ଶ କ୍ରମେ ତାଙ୍କୁ ଚିକିତ୍ସା ପାଇଁ ୫ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା।

ଚିକତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ ରାମେଶ୍ୱରୀ ପାଣିଗ୍ରାହୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଥିଲେ । ଆଜି ଭୋର ୩ଟା ସମୟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିବା ଖବର ଏଠାରେ ପହଞ୍ଚିଥିଲା। ଖବର ପାଇ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ମୁଖ୍ୟ ଚିକିତ୍ସା ଅଧିକାରୀ ଉମାଶଙ୍କର ମିଶ୍ର, ଭଟକୁମାରଡା ସରପଞ୍ଚ ବିମ୍ବାଧର ବେହେରା, ବିଡ଼ିଓ ବିଜୟ ବେହେରା, ଅତିରିକ୍ତ ବିଡ଼ିଓ ମଧୁସୂଦନ ମହାରଣା, ଅତିରିକ୍ତତହସିଲଦାର ସୁନୀଲ କୁମାର ଟୁଡୁ , ଆଇଆଇସି ଜଗନ୍ନାଥ ମଲ୍ଲିକ, ଏନଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ର, ସିଡିପିଓ ସବିତା ଚ୍ୟାଉପଟ୍ଟନାୟକ ପ୍ରମୁଖ ଭାଟକୁମାରଡା ଚିକିତ୍ସା କେନ୍ଦ୍ରରେ ପହଞ୍ଚିଥିଲେ। ମେଡିକାଲର ସମସ୍ତ ଡାକ୍ତର, ସ୍ୟାସ୍ଥ୍ୟ କର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ସହାୟକଙ୍କ ଉପସ୍ଥିତିରେ ଏକ ଶୋକ ସଭା କରାଯାଇ ତାଙ୍କରି ସ୍ମତିଚାରଣ କରାଯାଇଥିଲା।


Share It

Comments are closed.