ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ


ଭୁବନେଶ୍ୱର, (ଠ୬/୦୮) : ଆଜି କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ତମ ସବ -ଜୁନିୟର ଏବଂ ୫୦ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ  ହୋଇଯାଇଛି। ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ଓଡିଶାରୁ ବାଳକ ବର୍ଗରେ ୨୧ ଜଣ ଏବଂ ବାଳିକା ବର୍ଗରେ ୧୮ ଜଣ ତଥା ସର୍ବମୋଟ୍ ୩୯ ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

ଓଡ଼ିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ନିଜର ଅଭିଭାଷଣରେ ସେ ସମସ୍ତ ପ୍ରତିଭାଗୀ ମାନଙ୍କ ଉତ୍ସାହ ବର୍ଦ୍ଧନ କରିବା ସହିତ କ୍ରୀଡାକ୍ଷେତ୍ର ର ବିକାଶ ଏବଂ କ୍ରୀଡ଼ାବିତ୍‌ ମାନଙ୍କୁ ଉଚ୍ଚକୋଟୀର ର ପ୍ରଶିକ୍ଷଣ ଯୋଗାଇ ଦେବାରେ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମତପ୍ରକାଶ କରିଥିଲେ। ସେ କହିଥିଲେ ଯେ ୪୦ତମ ସବ -ଜୁନିୟର ଏବଂ ୫୦ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ହେଉଛି କ୍ରୀଡାବିତ୍‌ ମାନଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ଯେଉଁଠାରେ ସେମାନେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ। ଓଡ଼ିଶାରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ର ଆୟୋଜନ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଭାଗୀ ମାନଙ୍କୁ ମୁଁ ସାଧୁବାଦ ଦେବା ସହ ପ୍ରତିଯୋଗିତାରେ ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ମୋର ଆଶା ଓ ବିଶ୍ୱାସ।



ଭାରତୀୟ ସନ୍ତରଣ ମହାସଂଘ ର ମହାସଚିବ ଶ୍ରୀ ମୋନାଲ ଚୋକ୍ସି ସମସ୍ତ ପ୍ରତିଯୋଗୀଙ୍କୁ ସ୍ୱାଗତ ଜଣାଇବା ସହ କହିଥିଲେ ଯେ, ଯୁବ ପ୍ରତିଭାଗୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ତଥା ସେମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ସନ୍ତରଣ ପ୍ରତିଯୋଗିତାର ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅତ୍ୟାଧୁନିକ ଭିତ୍ତିଭୂମିରେ ନିର୍ମିତ କଳିଙ୍ଗ ଷ୍ଟାଡିୟମ୍ ର ଜଳକ୍ରୀଡା କେନ୍ଦ୍ର ପ୍ରତିଯୋଗୀ ମାନଙ୍କୁ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବା ପାଇଁ ଏକ ଉତ୍ତମ ପରିବେଶ ଯୋଗାଇ ଦେଉଛି। ଭାରତୀୟ ସନ୍ତରଣ ମହାସଂଘ କୁ ନିରନ୍ତର ସମର୍ଥନ ଏବଂ ସନ୍ତରଣ କୁ ଏକ ପ୍ରମୁଖ କ୍ରୀଡା ରୂପେ ପ୍ରୋତ୍ସାହିତ କରୁଥିବା ରୁ ମୁଁ ଓଡ଼ିଶା ସରକାର ଙ୍କୁ ଧନ୍ୟବାଦ ଜଣାଉଛି।

କ୍ରୀଡା ଓ ଯୁବସେବା ବିଭାଗ ର ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ଓ ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ର ସଭାପତି ଶ୍ରୀ ପ୍ରଦୀପ ପାଢ଼ୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ପ୍ରତିଯୋଗୀ ମାନଙ୍କୁ ସାଧୁବାଦ ଜଣାଇବା ସହ ଜାତୀୟ ସନ୍ତରଣ ପ୍ରତିଯୋଗିତା ସୁଚାରୁ ରୂପେ ସମ୍ପାଦନ ହେବ ବୋଲି ମତପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ଏବଂ ବିଭିନ୍ନ ରାଜ୍ୟ ରୁ ଆସିଥିବା ଖେଳାଳି ମାନେ ନିଜର ଅନୁଭୂତି ପ୍ରକାଶ କରିଥିଲେ ଏବଂ ନିଜ ରାଜ୍ୟର ପ୍ଲାକାର୍ଡ ଧରି ଏକ ଫ୍ଲାଗମାର୍ଚ୍ଚ ପ୍ରଦର୍ଶନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏଥର ତୃତୀୟ ଥର ପାଇଁ ଓଡ଼ିଶାରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପ୍ରତିଯୋଗିତାରେ ଫ୍ରି ଷ୍ଟାଇଲ୍, ବ୍ୟାକ୍ ଷ୍ଟ୍ରୋକ, ବଟରଫ୍ଲାଏ ଷ୍ଟ୍ରୋକ ଆଦି  ୭ ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।


Share It

Comments are closed.