ମ୍ୟାଚ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ଚାଲିଗଲା ୪ ଫୁଟବଲ ଖେଳାଳୀଙ୍କ ଜୀବନ


ବ୍ରାଜିଲରେ ଏକ ଆଞ୍ଚଳିକ ମ୍ୟାଚ୍ ପୂର୍ବରୁ ବିମାନ ଦୁର୍ଘଟଣା ଘଟି ୪ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଛି । ଏଥିସହ ସେମାନଙ୍କ ସାଥିରେ ଆସୁଥିବା ବ୍ରାଜିଲିଆନ ପାଲ୍ମାସ କ୍ଲବର ପ୍ରେସିଡେଣ୍ଟଙ୍କ ମୃତ୍ୟୁ ହୋଇଛି । କ୍ଲବ୍ ଏନେଇ ଏକ ବୟାନ ଜାରି କରି କହିଛି ଯେ, କ୍ଲବର ପ୍ରେସିଡେଣ୍ଟ ଲୁକାସ ମୀରା ଏବଂ ଚାରିଜଣ ଖିଲାଡ଼ି ଗୁଇଲହୋମ ନୋଏ, ଲୁକାସ ପ୍ରୋକ୍ସିଡେସ୍, ରାନୁଲ୍ ଏବଂ ମାର୍କସ ମୋଲାନାରିଙ୍କର ରବିବାର ମୃତ୍ୟୁ ହୋଇଛି । ଯେତେବେଳେ ସେମାନଙ୍କ ବିମାନ ଏୟାର ଫିଲ୍ଡରୁ ଟେକ୍ ଅଫ୍ କଲା ତାର କିଛି ସମୟ ପରେ ଏହା କ୍ରାସ୍ ହୋଇଯାଇଥିଲା ବୋଲି କ୍ଲବ୍ ପ୍ରକାଶ କରିଛି ।

ନ୍ୟୁଜ୍ ଏଜେନ୍ସି ସିହ୍ନୁଆର ରିପୋର୍ଟ ଅନୁସାରେ, ବିମାନର ପାଇଲଟଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଇଛି । ଏହି ବିମାନ ବିଲ୍ ନୋୱା ବିରୋଧରେ ସୋମବାର ଖେଳାଯିବାକୁ ଥିବା କୋପା ବୋର୍ଡ ମ୍ୟାଚ୍ ପାଇଁ ପାଖାପାଖି ୮ ଶହ କିମି ଦୂର ଗୋୟନିଆ ସହରକୁ ଉଡ଼ାଣ ଭରିଥିଲା । ଏହି ୪ ଜଣ ଖେଳିଳି ଏବଂ ପ୍ରେସିଡେଣ୍ଟ ଟିମ୍ଠାରୁ ଅଲଗା ଯାତ୍ରା କରୁଥିଲେ । ସେମାନେ ପୂର୍ବରୁ କୋଭିଡ୍ ରେ ସଂକ୍ରମିତ ହୋଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି ।

ତେବେ ଅଧିକାରୀଙ୍କ କହିବା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ବୌରାନ ମଡେଲ୍ ବିମାନ ଥିଲା । ଯେଉଁଥିରେ ଦୁଇଟି ଇଞ୍ଜିନ୍ ଥିଲା କିନ୍ତୁ ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା । କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହାର ଯାଞ୍ଚ କରାଯାଉଛି ବୋଲି ଅଧିକାରୀ କହିଛନ୍ତି । ପାଞ୍ଚବର୍ଷ ପୂର୍ବରୁ କଲମ୍ୱିଆରେ ଏହି ପରି ଏକ ବିମାନ ଦୁର୍ଘଟଣାରେ ୧୯ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।


Share It

Comments are closed.