ଥାନାରେ ମାମଲା ରୁଜୁ ନହେବାରୁ ଜୀବନ ହାରିଲେ ଗଣଦୁଷ୍କର୍ମ ପୀଡିତା


ହାଥରସ ପରେ ଉତ୍ତରପ୍ରଦେଶର ଚିତ୍ରକୂଟରେ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଆଖି ବୁଜି ଦେଲେ। ଗଣଦୁଷ୍କର୍ମ ପରେ ୧୫ବର୍ଷର ଦଳିତ ନାବାଳିକା ନିଜ ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ରହିଛି ଯେ ମାମଲା ରୁଜୁ ନହେବା ଯୋଗୁଁ ନାବାଳିକା ଚିନ୍ତିତ ଥିଲେ ଯାହା ଫଳରେ ସେ ନିଜ ଜୀବନ ଦେଇ ଦେଇଥିଲେ।ପରିବାର ଲୋକଙ୍କ ଅଭିଯୋଗ ପରେ ଏହି ମାମଲା ସରଗରମ ହୋଇଛି। ନେତାମାନଙ୍କ ଗାଁ ଯିବା ଆରମ୍ଭ ହୋଇଯାଇଛି। ଆଜି ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପୀଡ଼ିତାଙ୍କ ଗାଁକୁ ଛାଉଣୀରେ ବଦଳି ଦେଇଛନ୍ତି।

ସୂଚନା ଅନୁଯାୟୀ ୧୫ବର୍ଷର ନାବାଳିକା ମଣିକପୁର ଅଞ୍ଚଳରେ ନିଜ ଘର ଭିତରେ ହିଁ ମଙ୍ଗଳବାର ଫାଶୀ ଲଗାଇଥିଲେ। ନାବାଳିକାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ତାଙ୍କ ସହ ୩ଜଣ ଜଙ୍ଗଲରେ ଅକ୍ଟୋବର ୮ତାରିଖରେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ପରିବାରର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଦିଆଯାଇଛି। ୩ଜଣ ଅଭିଯୁକ୍ତ କିଶନ ଉପାଧ୍ୟାୟ,ଆଶିଷ ଏବଂ ସତୀଶକୁ ଗିରଫ କରାଯାଇଛି। ଅଭିଯୁକ୍ତ କିଶନ ଉପାଧ୍ୟାୟ ଗାଁ ମୁଖିଆଙ୍କ ପୁଅ। ପୋଲିସ୍ କହିବା ଅନୁସାରେ ପୋକ୍ସୋ ଆକ୍ଟ ଏବଂ ଏସସି-ଏସଟି ଆକ୍ଟ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଛି।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ନାବାଳିକାଙ୍କ ଅଭିଯୋଗରେ କୌଣସି ଶୁଣାଣି ହେଉନଥିବାରୁ ସେ ନିଜ ଜୀବନ ଦେଇ ଦେଇଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତ ପୀଡ଼ିତାଙ୍କ ହାତ ଗୋଡ଼ ବାନ୍ଧି ଫେରାର ହୋଇଯାଇଥିଲେ ଏବଂ ପୋଲିସ୍ ହିଁ ତାଙ୍କୁ ଘରକୁ ନେଇ ଆସିଥିଲା କିନ୍ତୁ ମାମଲା ରୁଜୁ କରିନଥିଲା। ପୋଲିସର କହିବା ଅନୁସାରେ ପୀଡ଼ିତାଙ୍କ ପରିବାର ଲୋକଙ୍କ ତରଫରୁ କୌଣସି ଅଭିଯୋଗ ଦିଆଯାଇନଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ହୋଇଥିବା ଜଣା ପଡ଼ିନାହିଁ। ଏବେ ସାମ୍ପଲ୍ ଫରେନସିକ ଯାଞ୍ଚ ପାଇଁ ପଠାଯିବ।

ଏହି ଘଟଣା ପରେ ବହୁ ସଂଖ୍ୟାରେ ଲୋକେ ପୀଡ଼ିତଙ୍କ ପରିବାର ନିକଟରେ ପହଞ୍ଚୁଛନ୍ତି। ପାର୍ଟିର ନେତାମାନଙ୍କ ଗାଁ ଯିବା ଆରମ୍ଭ ହୋଇଗଲାଣି। ନେତାଙ୍କ ବ୍ୟତୀତ ଦଳିତ ସଙ୍ଗଠନର ଲୋକେ ମଧ୍ୟ ଗାଁକୁ ପହଞ୍ଚୁଛନ୍ତି। ଯାହା ଫଳରେ ସେଠାରେ ଖୁବ୍ ହଇଚଇ ସୃଷ୍ଟି ହୋଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଛି। ବହୁ ସଂଖ୍ୟାରେ ପୋଲିସଙ୍କୁ ମୁତୟନ କରାଯାଇଛି।


Share It

Comments are closed.