କୁମ୍ଭୀର ସହ ଲଢେଇ କରି ଭଉଣୀ ଜୀବନ ବଞ୍ଚାଇଲା ଭାଇ


ଗତ ଶୁକ୍ରବାର ଦିନ ଫିଲିଫାଇନ୍ସ ପଲାୱାନ ଅଞ୍ଚଳରେ ଜଣେ ବାଳକ ବିଶାଳକାୟ କୁମ୍ଭୀର ସହ ଲଢେଇ କରି ନିଜ ଭଉଣୀର ଜୀବନ ବଞ୍ଚାଇ ଥିବାର ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ମୁତାବକ, ୧୨ ବର୍ଷିୟ ଝିଅଟି ତା’ଭାଇ ସହ ଏକ ନାଳ ଦେଇ ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ଅତିକ୍ରମ କରୁଥିବା ସମୟରେ ହଠାତ ଏକ ୧୪ ଫୁଟର ବିଶାଳକାୟ କୁମ୍ଭୀରଟି ଉକ୍ତ ଝିଅର ଗୋଡକୁ ଧରି ନେଇ ତାକୁ ପାଣି ଭିତରକୁ ଟାଣି ନେଉଥିବାବେଳେ ଏହି ସମୟରେ ବଡ ଭାଇ ନିଜର ସାହସୀକତା ଦେଖାଇ ଭଉଣୀ ଜୀବନ ବଞ୍ଚାଇବା ପାଇଁ କୁମ୍ଭୀର ସହ ଲଢେଇ କରିବାକୁ ପାଣି ଭିତରକୁ ଡେଇଁ ପଡିଥିଲା ।
ଏହା ପରେ ଦୀର୍ଘ ସମୟରେ ଧରି କୁମ୍ଭୀର ଏବଂ ବାଳକ ମଧ୍ୟରେ ସଂଘର୍ଷ ଚାଲିବା ପରେ ଶେଷରେ କୁମ୍ଭୀରଟି ହାର ମାନି ଝିଅଟିକୁ ଛାଡିଦେଇଥିଲା । ଏହି ଘଟଣାରେ ଉକ୍ତ ଝିଅଟିର ଗୋଡରେ ଗଭୀର ଆଘାତ ଲାଗିଥିବାବେଳେ ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଛି ।


ଘଟଣା ସଂପର୍କରେ ସୂଚନା ଦେଇ ଝିଅଟି କହିଛି ଯେ, “କୁମ୍ଭୀରଟି ବହୁତ ବଡ ଥିଲା । ତା’ର ବହୁତ ବଡ ଦାନ୍ତ ଥିଲା ଏବଂ ମୁଁ ସମ୍ପୂର୍ଣ୍ଣ ଡରି ଯାଇଥିଲି । ” ସେ ଆହୁରୀ ମଧ୍ୟ କହିଛି ଯେ, “ମୋ ଭାଇ ପାଇଁ ମୁଁ ବଞ୍ଚିପାରିଛି ଏବଂ ସେ ଯଦି ଡରି ଯାଇଥାନ୍ତା ତେବେ ମୁଁ ଆଜି ବଞ୍ଚି ନଥାନ୍ତି । ”
ଘଟଣା ସଂପର୍କରେ ଭାଇ କହିଛି ଯେ, “ଜଳମଗ୍ନ ନାଳଟିକୁ ପାରିକରୁଥିବା ସମୟରେ ହଠାତ ମୋ ପଛରେ ଭଉଣୀ ନଥିବାର ମୁଁ ଅନୁଭବ କରିଥିଲି । ଯେତେବେଳେ ପଛକୁ ବୁଲି ଦେଖିଲି ତ ଗୋଟିଏ ବିଶାଳକାୟ କୁମ୍ଭୀରର ମୁଣ୍ଡ ଦେଖାଯାଉଥିଲା । ସେହି ସମୟରେ ମୋତେ କିଛି ବିଚାର ଆସିଲା ନାହିଁ ଏବଂ ଭଉଣୀକୁ ବଞ୍ଚାଇବା ପାଇଁ ତା ସହ ଲଢିବା ପାଇଁ ପ୍ରସ୍ତୁତ ହୋଇଗଲି । ”


Share It

Comments are closed.