ଆଇଡିଏଫ୍‌ଏଫ୍‌ବି ୨୦୨୨ର ଦ୍ୱିତୀୟ ଦିନରେ ୧୨ଟି ଫିଲ୍ମ ପ୍ରଦର୍ଶିତ


ଭୁବନେଶ୍ୱର : ଫିଲ୍ମ ସୋସାଇଟି ଅଫ୍ ଭୁବନେଶ୍ୱର (ଏଫ୍‌ଏସ୍‌ବି) ପକ୍ଷରୁ ଆୟୋଜିତ ଇଣ୍ଡିଆନ୍ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଡିଏଫ୍‌ଏଫ୍‌ବି) ୨୦୨୨ର ୨ୟ ଦିନରେ (ଶନିବାର) ମୋଟ ୧୨ଟି ଫିଲ୍ମ ପ୍ରଦର୍ଶିତ ହୋଇଛି । ଏହି ଫିଲ୍କଗୁଡ଼ିକ ମଧ୍ୟରେ ନିତିନ୍ ବାଠ୍‌ଲାଙ୍କ ନଟ୍ ଜଷ୍ଟ୍ ରୋଡ୍‌ସ, ଦେବଲିନା ମଜୁମ୍‌ଦାରଙ୍କ ଗେ ଇଣ୍ଡିଆ ମ୍ୟାଟ୍ରିମୋନି ଆଦି ସାମିଲ ରହିଛି ଯାହା ଦର୍ଶକଙ୍କୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ଦେଇଥିଲା । ଚଳିତ ସପ୍ତାହ ସହରର ଚଳଚିତ୍ର ପ୍ରେମୀଙ୍କ ପାଇଁ ଉତ୍ସାହଜନକ ସମୟ ଭାବେ ପ୍ରମାଣିତ ହୋଇଛି କାରଣ ସେମାନେ ଭୁବନେଶ୍ୱରର ଓଡିଶୀ ରିସର୍ଚ୍ଚ ସେଂଟର୍‌ଠାରେ ଭାରତର ଉଦୀୟମାନ ଯୁବ ଚଳଚିତ୍ର ନିର୍ମାତାଙ୍କ କିଛି ସର୍ବୋତମ ଡକ୍ୟୁମେଂଟାରୀ ଫିଲ୍ମ ଦେଖିବାକୁ ଏକାଠି ହୋଇଥିଲେ । ଦର୍ଶକମାନେ ଆମ ସମାଜର କିଛି ଲୁକ୍କାୟିତ ବାସ୍ତବତାର ସମ୍ମୁଖୀନ ହୋଇଥିଲେ ଓ ମନଛୁଆଁ କାହାଣୀଗୁଡିକରେ ନିଜକୁ ନିମଜ୍ଜିତ କରିଥିଲେ । ଏଠାରେ ପ୍ରଦର୍ଶିତ ଫିଲ୍ମଗୁଡିକ ହିନ୍ଦୀ, ଇଂରାଜୀ, ବଙ୍ଗଳା, ମଣିପୁରୀ ଆଦି ଭାଷାର ଥିଲା । ଦୁଇଟି ଫିଲ୍ମକୁ ଆଇଏଫ୍‌ଏ ସହ ସହଯୋଗିତାରେ ପ୍ରଦର୍ଶିତ କରାଯାଇଥିବା ବେଳେ ଦୁଇଟି ସ୍ପେଶିଆଲ ଫୋକସ୍ ଫିଲ୍ମ ଥିଲା ।

ଆଜି ୨ୟ ଦିନରେ ନଟ୍ ଜଷ୍ଟ୍ ରୋଡ୍‌ସ, ନ୍ୟୁ କ୍ଲାସ୍‌ରୁମ୍‌, ହ୍ରିଦୟ ବାସଦ, ଦୁଖୁ ମାଝୀ, ଗେ ଇଣ୍ଡିଆ ମ୍ୟାଟ୍ରିମୋନି, ସଲ୍ଟ ଆଣ୍ଡ ସୁଗାର, ମୈରାମ୍‌, ଏ ନାଇଟ୍ ଅଫ୍ ନୋଇଙ୍ଗ୍ ନଥିଙ୍ଗ୍‌, ମିଜୋ ସାଉଣ୍ଡସ୍କେପ୍‌ସ, ବେଲା, ଇଟ୍ ୱାଜ୍ ଇନ୍ ସ୍ପ୍ରିଙ୍ଗ୍ ଓ ୱିଟ୍‌ଜେନ୍‌ଷ୍ଟେନ୍ ପ୍ଲେଜ୍ ଚେସ୍ ୱିଥ୍ ମାର୍‌ସଲ୍ ଡୁଚାମ୍ପ ଅର୍ ହାଓ ନଟ୍ ଟୁ ଡୁ ଫିଲୋସୋଫି ଆଦି ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଏଠାରେ ଦର୍ଶକମାନେ ଫିଲ୍ମର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଥିଲେ । ଶଙ୍ଖଜିତ ବିଶ୍ୱାସ ନିଜ ଫିଲ୍ମ ହ୍ରିଦୟ ବାସତ ସମ୍ପର୍କରେ କହିବା ସହ ଫିଲ୍ମ ନିର୍ମାଣର ବିଭିନ୍ନ ଦିଗ ଉପରେ ସୁଚନା ଦେଇଥିଲେ । ଆଇଡିଏଫ୍‌ଏଫ୍‌ବି ୨୦୨୨ର ୨ୟ ଦିନ ନିତିନ୍ ବାଠ୍‌ଲାଙ୍କ ଫିଲ୍ମ ନଟ୍ ଜଷ୍ଟ ରୋଡ୍‌ସ ସହ ଆରମ୍ଭ ହୋଇଥିଲା ଯାହା  ଭାରତରେ ଚାଲିଥିବା ଏକ ବୃହତ୍ ସହରୀ ପରିବର୍ତନର କାହାଣୀକୁ ବର୍ଣ୍ଣନା କରିଛି । ସେହିପରି ସୋମନାଥ ମଣ୍ଡଳଙ୍କ ଦୁଖୁ ମାଝୀ ଜଣେ ଗରିବ, ଅଶିକ୍ଷିତ ବୃଦ୍ଧ ବ୍ୟକ୍ତି ଓ ଗଛ ପାଇଁ ତାଙ୍କର ଭଲ ପାଇବାର କାହାଣୀକୁ ବର୍ଣ୍ଣନା କରିଥିଲା ।


Share It

Comments are closed.