ଏଣିକି ଝିଅ ଜନ୍ମ ହେଲେ ମିଳିବ ୧୧ ହଜାର ଟଙ୍କା


ଲିଙ୍ଗଗତ ବୈଷମ୍ୟ ଦୂର କରିବା ପାଇଁ ଦେଶର ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କମ୍ପାନୀ ଅକ୍ସି ଅଣ୍ଟା ଭିଡିଛି । ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବାକୁ ଯାଇ କମ୍ପାନୀ ପ୍ରତ୍ୟେକ ନବଜାତ ଝିଅଙ୍କ ନାମରେ ୧୧ ହଜାର ଟଙ୍କା ଜମା ରଖିବ । ଏହି ଅର୍ଥକୁ ଝିଅ ୧୮ ବର୍ଷ ହେବା ପରେ ଉଠାଯାଇପାରିବ । ଅକ୍ସି କନ୍ୟା ଶିଶୁ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅର୍ଥ ରାଶି ପ୍ରଦାନ କରାଯିବ । ତେବେ ଏଥିପାଇଁ ପିତା ମାତା ନିଜ ନିଜର ନାମ ପଞ୍ଜିକୃତ କରାଇବାକୁ ପଡିବ । ଏଥି ପାଇଁ ମା ମାନେ ଗର୍ଭବତୀ ଥିବା ସମୟରେ ନିଜ ଫୋନରେ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଥିବା ଅକ୍ସି ହେଲଥ ଆପରେ ନିଜ ନିଜର ନାମ ପଞ୍ଜିକରଣ କରିପାରିବେ ।
ସବୁ ଧର୍ମ ସାମାଜିକ ମର୍ଯ୍ୟାଦା ବା ଭୌଗୋଳିକ ଅଞ୍ଚଳ ପାଇଁ ଏହା କାର୍ଯ୍ୟକାରୀ କରାଯିବ । ଝିଅମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଲାଗି ଏହି ଯୋଜନା କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଛି । ଝିଅ ସାବାଳିକା ହେବା ପରେ ଏହି ଅର୍ଥକୁ ଉଠାଇ ତାଙ୍କ ପାଠପଢା, ବୃତ୍ତିଗତ ଲକ୍ଷ୍ୟ ହାସଲ ଆଦି କାର୍ଯ୍ୟରେ ବିନିଯୋଗ କରିପାରିବେ । ଏହି ଅର୍ଥ ଉପରେ ଅନ୍ୟ କାହାରି ଅଧିକାର ରହିବା ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଏଥି ପାଇଁ ମା ମାନେ ଗର୍ଭବତୀ ହେବାର ୩ ମାସ ମଧ୍ୟରେ ନିଜର ପଞ୍ଜୀକରଣ କରିବେ ।
ଦେଶର ୧୫ ଶହ ସହରରେ ଅକ୍ସିର ୨ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ରହିଛି । ଏହି ଆର୍ଥିକ ବୋଝକୁ କମ୍ପାନୀ ଏବଂ ଏହାର ନେଟୱାର୍କରେ ଥିବା ସହଯୋଗୀମାନେ ବହନ କରିବେ ବୋଲ କମ୍ପାନୀ ପକ୍ଷରୁ ସୂୂଚନା ମିଳିଛି । ଏହା ବ୍ୟତୀତ ଭଭୟ ପୁଅ ଓ ଝିଅଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ମାଗଣା ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ପ୍ରସ୍ତାବ ରଖଛି ।


Share It

Comments are closed.