ଅସହାୟ ବୃଦ୍ଧଙ୍କୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର


ଭୁବନେଶ୍ୱର: ସମ୍ପ୍ରତି କରୋନା ମହାମାରୀ ରାଜ୍ୟରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟିକରିଥିବାବେଳେ ଏହାର ଲକ୍ଷଣଥିବା ବ୍ୟକ୍ତିଙ୍କ ନିକଟକୁ ସାଧାରଣ ଲୋକମାନେ ଯିବାକୁ ମଧ୍ୟ ଡ଼ରୁଛନ୍ତି । ଏହିପରି ସମୟରେ ଭିଷଣ ଜ୍ୱର ଏବଂ କାଶରେ ପିଡ଼ୀତ ଏକ ଅସହାୟ ବୃଦ୍ଧଙ୍କୁ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଉଦାହରଣ ସୃଷ୍ଟି କରିଛନ୍ତି । ସୂଚନା ମୁତାବକ ରାଜଧାନୀର କେଦାରଗୌରୀ ମନ୍ଦିର ସାମ୍ନାରେ ହରି ବେହେରା ନାମକ ଜଣେ ଅସହାୟ ବୃଦ୍ଧ ତିନି ଦିନ ହେବ ଭିଷଣ ଅସୁସ୍ଥହୋଇ ପେଲି ହେଉଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଧଉଳି ଥାନା ଅନ୍ତର୍ଗତ ୧୦୮ ଆମ୍ବୁଲାନ୍ସ ସେଠାରେ ପହଂଚିଥିଲା । ଉକ୍ତ ରୋଗୀଙ୍କଠାରେ କିଛିଟା କରୋନାର ଲକ୍ଷଣ ଦେଖାଯାଉଥିବା ସତ୍ୱେ ଆମ୍ବୁଲାନ୍ସର ଡ୍ରାଇଭର ପ୍ରଶାନ୍ତ କୁମାର ସାହୁ, ହେଲପର, ଭଗବାନ ମଲ୍ଲିକ୍ ଏବଂ ଇଏମଟି, ରାଜକିଶୋର ସିଲି ସେହି ବ୍ୟକ୍ତିଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ତାନାନ୍ତର କରିଛନ୍ତି । ସେଠାରେ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଉକ୍ତ ସନ୍ଦିଗ୍ଧଙ୍କର କରୋନା ପରୀକ୍ଷା ପାଇଁ ପଠାଯାଇଛି ।
୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ଏହି ସାହାସପୁର୍ଣ୍ଣ କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ଖୁବ୍ ପ୍ରଂଶସା କରାଯାଇଛି । ବାସ୍ତବରେ ଏହିପରି ଗୁରୁତ୍ୱପୁର୍ଣ୍ଣ ସମୟରେ ଯେତେବେଳେ କରୋନା ରୋଗୀଙ୍କୁ ଅନେକ କ୍ଷେତ୍ରରେ ସାମାଜିକ ବାସନ୍ଦର ଶୀକାର ହେବାକୁ ପଡ଼ୁଛି, ସେହି ସମୟରେ ଆମ୍ବୁଲାନ୍ସ କର୍ମଚାରୀଙ୍କର ଏହିପରି ମାନବିକତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।


Share It

Comments are closed.