ଭୀଷଣ ବର୍ଷାରେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ପୁଣି ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମହନୀୟତାର ଆଉ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୂଳ ଜିଲ୍ଲାରେ । ଘଟଣାନୁଯାୟୀ ଗତ ସେପ୍ଟେମ୍ବର ୨୧ ତାରିଖ ଦିନ ସକାଳ ୯.୪୫ରେ ଅନୁଗୁଳ ଜିଲ୍ଲା, ଅଂଟୁଳିଆ ଗ୍ରାମପଂଚାୟତ ଅଧିନସ୍ଥ ରୋଡ଼ସିଂଘା ଗ୍ରାମରୁ ଜଣେ ଗର୍ଭବତୀଙ୍କ ସଂକ୍ରାନ୍ତରେ ୧୦୮ ସିଡିସିକୁ ଏକ ଫୋନ କଲ ଆସିଥିଲା । ଖବର ପାଇବା ପରେ ବନ୍ତଳା ଡାକ୍ତରଖାନାରୁ ଫାର୍ମାସିଷ୍ଟ ସଚିଦାନନ୍ଦ ସାହୁ ଓ ଡ୍ରାଇଭର ମୁନା ସାମଲ ଓ ଯୁଧିଷ୍ଠୀର ଗଡ଼ନାୟକଙ୍କ ସହିତ ଏକ ୧୦୮ ଆମ୍ବୁଲାନ୍ସ ତୁରନ୍ତ ରୋଗୀଙ୍କ ନୀକଟକୁ ବାହାରିଯାଇଥିଲା, କିନ୍ତୁ ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସଟି ଆଗକୁ ବଡ଼ିପାରି ନଥିଲା । ତେଣୁ ଆମ୍ବୁଲାନ୍ସ କର୍ମଚାରୀମାନେ ଏ ସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ ।
ଅନ୍ୟପଟେ ପ୍ରବଳ ବର୍ଷା ଓ କୋଭିଡ-୧୯ ପରିସ୍ଥିତି ଯୋଗୁଁ ଅନ୍ୟ ଗ୍ରାମବାସୀମାନେ ମଧ୍ୟ ଏହି ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ନୀକଟକୁ ନେବାରେ ସାହାଯ୍ୟ କରିବାକୁ ରାଜି ହୋଇନଥିଲେ । ତେଣୁ ରୋଗୀଙ୍କ ସମ୍ପର୍କୀୟମାନେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଏ ବିଷୟରେ ଜଣାଇଲା ପରେ କର୍ମଚାରୀମାନେ ଆଉ କାଳ ବିଳମ୍ବ ନ କରି ତୁରନ୍ତ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ଏବଂ ଏତେ ଭୀଷଣ ବର୍ଷା ସତ୍ୱେ ମଧ୍ୟ ଗର୍ଭବତୀ ମହିଳାଜଣଙ୍କୁ ୪ କି.ମି. ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନୀକଟକୁ ବୋହିଆଣିଲେ । ଏହାପରେ ଗର୍ଭବତୀ ମହିଳାଜଣଙ୍କୁ ତୁରନ୍ତ ବନ୍ତଳା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅନେକ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଏଭଳି ନିସ୍ୱାର୍ଥପର ସେବା ମନୋବୃତି ଯୋଗୁଁ ସେମାନେ ସମାଜରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।


Share It

Comments are closed.