ପୁଣି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ବିଭିନ୍ନ ସମୟରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ କର୍ମଚାରୀଙ୍କର ନିଃସ୍ୱାର୍ଥପର ସେବାର ଅନେକ ନିଦର୍ଶନ ଆଖି ସାମ୍ନାକୁ ଆସିଛି । କେତେବେଳେ ସେମାନେ ରେଗୀଙ୍କୁ ରକ୍ତ ଦେଇ ଜୀବନ ବଂଚାଇଛନ୍ତି ତ ପୁଣି କେତେବେଳେ ଉପାନ୍ତ ଅଂଚଳରେ ପହଂଚି ରୋଗୀଙ୍କୁ ବୋହି ଆଣି ଡାକ୍ତଖାନାରେ ପହଂଚାଇଛନ୍ତି । ଏବେ ପୁଣି ଏହିଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି । ଘଟଣାକ୍ରମେ କେନ୍ଦୁଝର ଜିଲ୍ଲାର ବରିଆ ଥାନା, ପଡ଼ୁଆ ଗ୍ରାମପଂଚାୟତ ଅଧିନସ୍ଥ ନିଆସଗଡ଼ିଆ ଗ୍ରାଗରୁ ଜଣେ ଗ୍ୟାଷ୍ଟୋଲୋଜି ରୋଗୀଙ୍କ ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସକୁ ଏକ କଲ ଆସିଥିଲା । ଖବର ପାଇବା ପରେ ଚମ୍ବୁଆ ଡାକ୍ତରଖାନାରୁ ତୁରନ୍ତ ଏକ ଆମ୍ବୁଲାନ୍ସ ରୋଗୀଙ୍କ ନୀକଟକୁ ବାହାରିଯାଇଥିଲା । କିନ୍ତୁ ଯିବା ରାସ୍ତାରେ ଖରାପ ରାସ୍ତା ହେତୁ ଆମ୍ବୁଲାନ୍ସଟି ରୋଗୀଙ୍କ ନିକଟରେ ପହଂଚିପାରି ନଥିଲା । ତେଣୁ ଆମ୍ବୁଲାନ୍ସ କର୍ମୀମାନେ ନିଜେ ରୋଗୀଙ୍କ ନୀକଟକୁ ଯାଇ ତାଙ୍କୁ ଏକ ଷ୍ଟ୍ରେଚରରେ ପ୍ରାୟ ଦେଢ଼ କିମି ଆମ୍ବୁଲାନ୍ସ ନୀକଟକୁ ବୋହି ଆଣିଥିଲେ ଏବଂ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନାରେ ଭର୍ତି କରାଇଥିଲେ ।
ସେହିଭଳି ଅନ୍ୟ ଏକ ଘଟଣାକ୍ରମରେ ଜଣେ ଗର୍ଭବତୀ ମହିଳା ଓ ତାଙ୍କର ନବଜାତ ଶିଶୁର ଜୀବନ ବଂଚାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ସୋହୋରିଆ ପଂଚାୟତ ଅଧିନସ୍ଥ ରାଇପୁର ଗ୍ରାମରୁ କବିତା ଗିରି (୨୬) ନାମକ ଜଣେ ଗର୍ଭବତୀଙ୍କ ସଂକ୍ରାନ୍ତରେ ଏକ ଫୋନ କଲ ପାଇବା ପରେ ଜଳେଶ୍ୱର ଡାକ୍ତରଖାନାରୁ ଏକ ୧୦୨ ଆମ୍ବୁଲାନ୍ସ ପଠାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଗର୍ଭବତୀଙ୍କ ନୀକଟରେ କୌଣସି ସମ୍ପର୍କୀୟ ଉପସ୍ଥିତ ନ ଥିଲେ । ତେଣୁ ଆମ୍ବୁଲାନ୍ସରେ ପ୍ରଥମେ ତାଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଭର୍ତିକରାଯାଇଥିଲା ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିଲା । କିନ୍ତୁ ଯିବା ରାସ୍ତାରେ ଭୋଲେରା ଛକଠାରେ ମହିଳାଜଣଙ୍କ ଚଳନ୍ତା ଆମ୍ବୁଲାନ୍ସରେ ଏକ ସନ୍ତାନ ଜନ୍ମ ଦେଇଥିଲେ । ଏଭଳି ସମୟରେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଆମ୍‌ୁଲାନ୍ସ ଚାଳକ ତାପସ ପାତ୍ର ୧୦୮ ଆମ୍ବୁଲାନ୍ସକୁ କଲ କରିଥିଲେ ଏବଂ ମାତ୍ର କେଇ ମିନିଟ ମଧ୍ୟରେ ବସ୍ତ ଡାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସ ଆସି ପ୍ରସୂତିଙ୍କ ନୀକଟରେ ପହଂଚିଥିଲା ଏବଂ ଆମ୍ବୁଲାନ୍ସରେ ଥିବା ଇଏମଟି ପ୍ରଶାନ୍ତ ବେହେରା ପ୍ରସୂତିଜଣଙ୍କୁ ଚିକିତ୍ସା କରି ତାଙ୍କ ଚେତା ଫେରାଇଥିଲେ । ଏହାପରେ ଉଭୟ ପ୍ରସୂତି ଓ ନବଜାତ ଶିଶୁକୁ ବାଲେଶ୍ୱର ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଉଭୟ ଆମ୍ବୁଲାନ୍ସ ଚାଳକ ଓ ଫାର୍ମାସିଷ୍ଟିଙ୍କ ଉଦ୍ୟମ ଯୋଗୁଁ ପ୍ରସୂତି ଓ ନବଜାତ ଶିଶୁର ଜୀବନ ବଂଚିଯାଇଛି ।


Share It

Comments are closed.