ରକ୍ତଦାନ କରି ନାବାଳାକର ଜୀବନ ବଂଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ପୁଣି ଥରେ ସାମ୍ନାକୁ ଆସିଛି ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କର ମହାନତା । ପୂର୍ବରୁ ଅନେକ ଥର ଏହି କର୍ମଚାରୀମାନେ ଦେବଦୂତ ସାଜି ରୋଗୀଙ୍କୁ କାନ୍ଧରେବୋହି ଦେଇଛନ୍ତି ବିଶାଳ ହୃଦୟର ପରିଚୟ । ନିକଟରେ ଏକ ଅପରିଚିତ ରୋଗୀକୁ ରକ୍ତ ଦାନକରି ଆମ୍ବୁଲାନ୍ସ କର୍ମଚାରୀ ଦେଇଛନ୍ତି ମାନବିକତାର ଆଉ ଏକ ପରିଚୟ । ଘଟଣା ଅନୁଯାୟୀ ଭରତପୁର ଗ୍ରାମପଂଚାୟତ ଅଧିନରେଥିବା ରଙ୍ଗମାଟିଆ ଗ୍ରାମର ସୁଦର୍ଶନ ପ୍ରଧାନଙ୍କ ୧୩ ବର୍ଷର ପୁଅ, ସଚିଦାନନ୍ଦ ପ୍ରଧାନ ଜ୍ୱରରେ ଆକ୍ରାନ୍ତହୋଇ ରେଢାଖୋଲ ସବଡ଼ିଭିଜିନାଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ରକ୍ତର ଅଭାବ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ଡ଼ାକ୍ତର ବ୍ରହ୍ମା ରୋଗୀଙ୍କ ପାଇଁ ତୁରନ୍ତ ରକ୍ତ ଯୋଗାଡ଼ କରିବା ପାଇଁ କହିଥିଲେ । କିନ୍ତୁ ସୁଦର୍ଶନ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ରକ୍ତ ଯୋଗାଡ଼ ନକରିପାରି ହତୋତ୍ସାହିତ ହୋଇପଡ଼ିଥିଲେ ।
ଶେଷରେ ସେଠାରେ ଅବସ୍ଥାପିତ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ନିକଟରେ ସୁଦର୍ଶନ ପହଂଚି ବି + ରକ୍ତ ଯୋଗାଡ଼ କରିବା ପାଇଁ ଆକୁଳ ଅନୁରୋଧ କରିଥିଲେ । ସୌଭାଗ୍ୟବଶତଃ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ଡ୍ରାଇଭର, ସୁଜିତ ସାହୁଙ୍କର ବି + ବ୍ଲଡ଼ ଗ୍ରୁପ୍ ଥିଲା ଏବଂ ସେ ପରିସ୍ଥିତିର ଗମ୍ଭିରତାକୁ ବୁଝି ରକ୍ତ ଦାନ କରିବାକୁ ଆଗେଇଆସିଥିଲେ । ଏକ ଅପରିଚିତ ନାବାଳକର ଜୀବନ ରକ୍ଷାକରିବାକୁଯାଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କରିଥିବା ଏହି ସହାୟତା ପାଇଁ ସ୍ଥାନୀୟ ଅଂଚଳରେ ତାଙ୍କୁ ଖୁବ୍ ପ୍ରଂଶସା କରାଯାଇଛି ।


Share It

Comments are closed.