ଗର୍ଭବତୀଙ୍କୁ ରକ୍ତ ଦେଇ ପୁଣି ଥରେ ମାନବିକତାର ପରିଚୟ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ପୂର୍ବରୁ ବିଭନ୍ନ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଲୋକ ମାନଙ୍କୁ ସାହାଯ୍ୟକରି ନିଜ ମାନବିକତାର ପରିଚୟ ଦେଖାଇଛନ୍ତି । ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଗର୍ଭବତୀ ମହିଳାଙ୍କୁ ରକ୍ତ ଦାନ କରି ତାଙ୍କର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ଏଭଳି ଏକ ଘଟଣାକ୍ରମେ ମାଲକାନାଗିରି ଜିଲ୍ଲା ମାଥିଲି ବ୍ଲକ ଭାଲିଗୁଡ଼ା ଗ୍ରାମର ବୃନ୍ଦା ନାୟକ ନାମକ ଜଣେ ଗର୍ଭବତୀ ମହିଳା ମାଲକାନଗିରି ମେଡ଼ିକାଲରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ । ମହିଳାଙ୍କ ଦେହରେ ରକ୍ତର ଅଭାବ ଯୋଗୁଁ ଡ଼ାକ୍ତର ତୁରନ୍ତ ରକ୍ତର ବ୍ୟବସ୍ଥା କରିବା ପାଇଁ କହିଥିଲେ ।
ରକ୍ତ ପାଇଁ ମହିଳାଙ୍କ ସହ ଆସିଥିବା ଆଶା ଦିଦି, କୁସୁମା ମାଦିନି ରକ୍ତ ଯୋଗାଡ଼ କରିବା ପାଇଁ ରକ୍ତ ଭଣ୍ଡାର ନିକଟରେ ପହଞ୍ଚିଥିଲେ । ଉକ୍ତ ଗର୍ଭବତୀ ମହିଳାଙ୍କର ବି ପଜିଟିଭ ଗ୍ରୁପ୍ ହୋଇଥିବାବେଳେ ରକ୍ତ ଭଣ୍ଡାରରେ ଏହି ଗ୍ରୁପର ରକ୍ତ ନଥିବା ଯୋଗୁଁ ସେ ଚିନ୍ତାରେ ପଡ଼ିଯାଇଥିଲେ । ଏହା ବୃନ୍ଦାଙ୍କ ପରିବାର ଲୋକଙ୍କୁ ଜଣାଇବାପରେ ମାଥିଲି ଅଞ୍ଚଳରୁ କିଛି ଯୁବକ ମାଲକାନାଗିରିରେ ପହଞ୍ଚିବେ ବୋଲି ଉତ୍ତର ମିଳିଥିଲା । ଆଶା ଦିଦି ଜଣଙ୍କ ଅପେକ୍ଷା କରିଥିବାବେଳେ ଡ଼ିଆରଡ଼ିଏର ଜଣେ ଅଧିକାରୀ ଦେଖି ପଚାରିଥିଲେ । ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର, ଏ କ୍ରିଷ୍ଣା ରାଓ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ନିଜେ ରକ୍ତ ଦେବା ପାଇଁ ବାହାରି ପଡ଼ିଥିଲେ । ଦେବଦୂତ ଭଳି କ୍ରିଷ୍ଣା ରାଓ ବୃଦ୍ଧାଙ୍କ ଜୀବନ ବଞ୍ଚାଇ ଦେଇଥିଲେ । କ୍ରିଷ୍ଣାଙ୍କ ଏଭଳି ମହାନ କାମ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


Share It

Comments are closed.