ରୋଗୀଙ୍କ ଟଙ୍କା ଏବଂ ମୂଲ୍ୟବାନ ଜିନିଷ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର : ମୂଲ୍ୟବାନ ଜିନିଷ ଫେରାଇ ସଚ୍ଚୋଟତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଚଳିତ ଅକ୍ଟୋବର ୧୯ ତାରିଖ ଦିନ ସକାଳ ପ୍ରାୟ ୮.୩୦ ସମୟରେ ରେଟାଙ୍ଗ ରେଲୱେ ଷ୍ଟେସନ ଠାରେ କଟକ ଓଲ୍ଡ ଟାଉନ ଏରିଆର ଗୌର ଚନ୍ଦ୍ର ରଥ ନାମକ ଜଣେ ବ୍ୟକ୍ତି ଟ୍ରେନରୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ । ଏହାପରେ ରେଲୱେ ପୋଲିସ ଅଧିକାରୀମାନେ ଏସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ୧୦୮ ଆମ୍ବୁଲାନ୍ସ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଂଚି ଆହତ ବ୍ୟକ୍ତିଙ୍କୁ ସେଠାରୁ ଉଦ୍ଧାର କରି ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ଉଦ୍ଧାର ସମୟରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ରାକେଶ କୁମାର ଘଡ଼େଇ, ଇଏମଟି ଅମିୟ ମହର୍ଷି ଏବଂ ସହାୟକ ଲିଖନ ପ୍ରଧାନ ଆହତ ବ୍ୟକ୍ତିଙ୍କ ଠାରୁ ୧୨୦୦ଟଙ୍କା, ଏକ ମୋବାଇଲ ଫୋନ ଏବଂ ଅନ୍ୟ କିଛି ମୂଲ୍ୟବାନ ଜିନିଷ ପାଇଥିଲେ । ଯାହାକୁ ସେମାନେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ହେଲ୍ପ ଡେସ୍କ ଠାରେ ହସ୍ତାନ୍ତର କରିଦେଇଥିଲେ । ସେମାନଙ୍କର ଏଭଳି ସଚ୍ଚୋଟତା ପାଇଁ ରୋଗୀଙ୍କ ସମ୍ପର୍କୀୟମାନେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଅନେକ କୃତଜ୍ଞତା ଜଣାଇଛନ୍ତି ।


Share It

Comments are closed.