ଦୁର୍ଘଟଣା ଶୀକାର ବ୍ୟକ୍ତିଙ୍କ ୩୨,୫୦୦ଟଙ୍କା ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ଏମିତି ଅନେକ ନଜିର ରହିଛି ଯେତେବେଳେକି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ନିଃସ୍ୱାର୍ଥପର ସେବା ଓ ମାନବିକତା ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହପରି ଏକ ଘଟଣା ସାମ୍ନାକୁ ଆସିଛି ଖୋଦ କଟକ ସହରରେ । ଘଟଣାନୁଯାୟୀ ଗତ ଜାନୁୟାରୀ ୧୧ ତାରିଖ ଦିନ ୧୦୮ ସିଡିସିକୁ କାଠଯୋଡ଼ି ବ୍ରିଜରେ ଏକ ଦୁର୍ଘଟଣା ହୋଇଥିବା ନେଇ ଏକ ଫୋନ କଲ ଆସିଥିଲା । ଖବର ପାଇବା ପରେ ମାତ୍ର ୧୦ ମିନିଟ୍‌ରେ ଡ୍ରାଇଭର ନଟବର ରାଉତ, ଇଏମଟି ବିଶ୍ୱ ରାଉତ ଏବଂ ସହାୟକ ଦିଲିପ କୁମାର ବିଶ୍ୱାଳ ତୁରନ୍ତ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଂଚିଥିଲେ । ଏହାପରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଜଣଙ୍କୁ କର୍ମଚାରୀମାନେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଏସସିବିରେ ଭର୍ତି କରାଇଥିଲେ ।
ଦୁର୍ଘଟଣା ସ୍ଥଳରୁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନଗଦ ୩୨,୫୦୦ ଟଙ୍କା ସହିତ କିଛି ମୁଲ୍ୟବାନ ଜିନିଷ ମଧ୍ୟ ମିଳିଥିଲା । ତେଣୁ ଆମ୍ବୁଲାନ୍ସ କର୍ମଚାରୀମାନେ ସେମାନଙ୍କ କ୍ଲଷ୍ଟର ଲିଡ଼ର, ଅମିତ ରୟଙ୍କୁ ଏଥି ସମ୍ପର୍କରେ ଅବଗତ କରାଇଥିଲେ । କ୍ଲଷ୍ଟର ଲିଡ଼ରଙ୍କ ନିର୍ଦ୍ଦେଶକ୍ରମେ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ଏବଂ କ୍ଲଷ୍ଟର ଲିଡ଼ରଙ୍କ ଉପସ୍ଥିତିରେ ଦୁର୍ଘଟଣା ପୀଡ଼ିତଙ୍କ ସମ୍ପର୍କିୟ, ସନ୍ତୋଷ ନାୟକଙ୍କୁ ସମସ୍ତ ସାମଗ୍ରୀ ହସ୍ତାନ୍ତର କରିଦେଇଥିଲେ । ଆମ୍ବୁଲାନ୍ସ କର୍ମୀମାନଙ୍କ ଏଭଳି କାର୍ଯ୍ୟ ଯୋଗୁଁ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ୧୦୮ ଆମ୍ବୁଲାନ୍ସର ରାଜ୍ୟ ମୁଖ୍ୟଙ୍କ ପକ୍ଷରୁ ଅନେକ ପ୍ରଶଂସା କରାଯାଇଛି ।


Share It

Comments are closed.