ଦୁର୍ଘଟଣା ଶିକାର ବ୍ୟକ୍ତିଙ୍କ ମୋବାଇଲ ଓ ୫୦,୦୦୦ଟଙ୍କା ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ଏମିତି ଅନେକ ନଜିର ରହିଛି ଯେତେବେଳେ କି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ନିଃସ୍ୱାର୍ଥପର ସେବା ଓ ମାନବିକତା ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ଘଟଣାକ୍ରମେ ପୁଣି ଗଞ୍ଜାମ ଜିଲ୍ଲାରୁ ସମାନ ଏକ ଘଟଣା ଆଖି ସାମ୍ନାକୁ ଆସିଛି । ଘଟଣାନୁଯାୟୀ ଗତ ଅଗଷ୍ଟ ୩୧ ତାରିଖ ଦିନ ସକାଳ ପାଖାପାଖି ୮.୨୫ରେ ୧୦୮ ସିଡିସିକୁ ଗଂଞ୍ଜାମ ଜିଲ୍ଲା ସୋରୋପଡ଼ା ଥାନା ଅଧିନସ୍ଥ ଗୋବିନ୍ଦପୁରର ମଣିଆଘାଟି ଛକ ଠାରେ ଏକ ବାଇକ ଦୁର୍ଘଟଣା ହୋଇଥିବା ନେଇ ଏକ ଫୋନ କଲ ଆସିଥିଲା । ଖବର ପାଇବା ପରେ ଧାରକୋଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପାଇଲଟ ସନ୍ତୋଷ ସାହୁ, ଇଏମଟି ପ୍ରଦ୍ୟୁଷ କୁମାର ମହାକୁଦ ଏବଂ ସହାୟକ ବଳରାମ ସାହୁ ତୁରନ୍ତ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଂଚିଲେ । ଘଟଣାସ୍ଥଳରେ ପହଂଚି ଆମ୍ବୁଲାନ୍ସ କର୍ମଚାରୀମାନେ ଦେଖିବାକୁ ପାଇଲେ ଯେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି (୫୫ବର୍ଷ) ଜଣକ ମୁଣ୍ଡରେ ଗଭୀର ଆଘାତ ହେତୁ ସେ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି । ଏହାପରେ ବ୍ୟକ୍ତିଜଣଙ୍କୁ କର୍ମଚାରୀମାନେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ସିଡିଏସରେ ଭର୍ତି କରାଇଥିଲେ ।
ଦୁର୍ଘଟଣା ସ୍ଥଳରୁ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଗୋଟିଏ ମୋବାଇଲ ଓ ନଗଦ ୫୦,୦୦୦ ଟଙ୍କା ମିଳିଥିଲା । ତେଣୁ ଆମ୍ବୁଲାନ୍ସ କର୍ମଚାରୀମାନେ ପୀଡ଼ିତଙ୍କ ଫୋନ ମାଧ୍ୟମରେ ତାଙ୍କ ସମ୍ପର୍କୀୟମାନଙ୍କ ସହ ଯୋଗଯୋଗ କରିଥିଲେ ଏବଂ ସେମାନଙ୍କୁ ଭଞ୍ଜନଗର ଏସଡିଏଚରୁ ଆସି ଏହିସବୁ ସାମଗ୍ରୀ ନେଇଯିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ଆମ୍ବୁଲାନ୍ସ କର୍ମୀମାନେ ଅଧଘଂଟାରୁ ଉର୍ଦ୍ଧ୍ୱ ସମୟ ଅପେକ୍ଷା କରିବା ପରେ ପୀଡ଼ିତ ବ୍ୟକ୍ତିଙ୍କ ଶଳା ଏଠାରେ ପହଂଚିଥିଲେ ଓ ଆମ୍ବୁଲାନ୍ସ କର୍ମୀମାନେ ଡାକ୍ତରଖାନା କର୍ମଚାରୀଙ୍କ ଉପସ୍ଥିତିରେ ଦୁର୍ଘଟଣା ପୀଡ଼ିତଙ୍କ ଶଳାଙ୍କ ହାତକୁ ସମସ୍ତ ସାମଗ୍ରୀ ହସ୍ତାନ୍ତର କରିଦେଇଥିଲେ । ଆମ୍ବୁଲାନ୍ସ କର୍ମୀମାନଙ୍କ ଏଭଳି କାର୍ଯ୍ୟ ଯୋଗୁଁ ଡାକ୍ତରଖାନା ସଦସ୍ୟଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକମାନେ ତଥା ସଂଗଠନ ପକ୍ଷରୁ ଅନେକ ପ୍ରଶଂସିତ ହୋଇଛନ୍ତି ।


Share It

Comments are closed.