ଗର୍ଭବତୀଙ୍କୁ ୨ କି.ମି ଷ୍ଟ୍ରେଚରରେ ବୋହିଆଣି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ଆଗରୁ ଅନେକ ଥର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜ କର୍ତବ୍ୟ ପରିସରରୁ ବାହାରି ରୋଗୀଙ୍କୁ ସାହାଯ୍ୟ କରିଥିବାର ବିଭିନ୍ନ ଦୃଷ୍ଟାନ୍ତ ଆମ ଆଖି ସାମ୍ନାକୁ ଆସିଛି । ନୀକଟରେ ସମାନ ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ, ଯେଉଁଠାରେ ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ପ୍ରାୟ ୨ କି.ମି ପର୍ଯ୍ୟନ୍ତ ବୋହି ଆଣିଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀ ।
ଘଟଣାନୁଯାୟୀ କୋରାପୁଟ ସଦର ବ୍ଲକ ଲଙ୍କାପୁଟ ପଂଚାୟତ ଅନ୍ତର୍ଗତ ଗୁଲେଲପୁଟ ଗ୍ରାମର ଗର୍ଭବତୀ ଥିବା ପଦ୍ମା ପୁକିଆଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଖବର ପାଇବା ମାତ୍ରେ ଇଏମଟି ପ୍ରଭାକର ଖୋସଲା, ଡ୍ରାଇଭର ରବି ପାଙ୍ଗି ଏବଂ ସହାୟକ ଜୟା ରାଉତ ପଡ଼ୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ନେଇ ଗ୍ରାମ ଅଭିମୁଖେ ବାହାରିଯାଇଥିଲେ । କିନ୍ତୁ ଗ୍ରାମକୁ ଯିବାକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ରୋଗୀଙ୍କ ଘରଠାରୁ ପ୍ରାୟ ୨ କି.ମି ଦୂରରେ ଅଟକି ରହିଥିଲା । ଯାହାପରେ ଆମ୍ବୁଲାନ୍ସ କର୍ମଚାରୀ ନିଜେ ଗାଁ ମଧ୍ୟକୁ ଯାଇ ଗ୍ରାମବାସୀଙ୍କ ସହାୟତାରେ ରୋଗୀଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ଆମ୍ବୁଲାନ୍ସ ନୀକଟକୁ ବୋହି ଆଣିଥିଲେ । ଯାହାପରେ ରୋଗୀଙ୍କୁ ଆଣି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି କର୍ତବ୍ୟନିଷ୍ଠା ଓ ମାନବିକତା ପାଇଁ ସେମାନେ ବେଶ୍ ପ୍ରଶଂସିତ ହୋଇଛନ୍ତି ।


Share It

Comments are closed.