ପକ୍ଷାଘାତ ରୋଗୀଙ୍କୁ ୫ଞ୍ଜଞ୍ଜ କି.ମି ଷ୍ଟ୍ରେଚରରେ ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


କନ୍ଧମାଳ: ଖରାପ ରାସ୍ତା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ ନଯାଇପାରିବା ବର୍ତମାନ ଏକ ନିତିଦିନିଆ ଘଟଣା ହୋଇଗଲାଣି । ଯାହାଫଳରେ ରୋଗୀଙ୍କୁ ନାହିଁ ନଥିଲା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ବର୍ତମାନ ସମାନ ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ ଯେଉଁଠାରେ ହୃଦରୋଗ ଏବଂ ପକ୍ଷାଘାତରେ ଆକ୍ରାନ୍ତ ଜଣେ ଗୁରୁତର ରୋଗୀଙ୍କୁ ପ୍ରାୟ ୫ କି.ମି ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୋହି ଆଣିଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀ ।
ଘଟଣା ଅନୁଯାୟୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଂଚାୟତର ମିଣିଆଡୁପି ଗ୍ରାମର ଲକ୍ଷ୍ମଣ କଅଁର(୪୫) ଦୀର୍ଘ ସମୟରୁ ହୃଦରୋଗ ଏବଂ ପକ୍ଷାଘାତରେ ଆକ୍ରନ୍ତ ଥିଲେ । କିନ୍ତୁ ରବିବାର ସକାଳେ ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା । ଗ୍ରାମରେ ଯୋଗାଯୋଗ ସୁବିଧା ନଥିବାରୁ ଗ୍ରାମର ଜଣେ ବ୍ୟକ୍ତି ଗ୍ରାମଠାରୁ ପ୍ରାୟ ୧୦ କି.ମି ଦୂରକୁ ଯାଇ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ଫିଙ୍ଗିରିଆ ବ୍ଲକରେ ନିୟୋଜିତ ଏକ ୧୦୮ ଆମ୍ବୁଲାନ୍ସ ତୁରନ୍ତ ମିଣିଆଡୁପି ଗ୍ରାମ ଅଭିମୁଖେ ବାହାରିଯାଇଥିଲା । ମାତ୍ର ଦୁର୍ଭାଗ୍ୟର କଥା ଯେ ଗ୍ରାମ ଭିତରକୁ ଯିବାକୁ ପକ୍କା ରାସ୍ତାର ଅଭାବ କାରଣରୁ ଆମ୍ବୁଲାନ୍ସଟି ରୋଗୀଙ୍କ ଘରଠାରୁ ପ୍ରାୟ ୫ କି.ମି ଦୂରରେ ଅଟକି ରହିଥିଲା ।
ଅନ୍ୟପଟେ ସେଠାରେ ନେଟୱର୍କର ଅଭାବ କାରଣରୁ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କ ପରିବାର ସହ ଯୋଗାଯୋଗ ମଧ୍ୟ କରିପାରିନଥିଲେ । ଯାହାପରେ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ବିନାୟକ ପଣ୍ଡା, ଚାଳକ ଅନିଲ କୁମାର ନାୟକ ଏବଂ ସହାୟକ ପପୁନ ନାୟକ ପାହାଡ଼ିଆ ରାସ୍ତା ଦେଇ ପ୍ରାୟ ୫ କି.ମି ବାଟ ଚାଲି ଚାଲି ରୋଗୀଙ୍କ ନୀକଟରେ ପହଂଚିଥିଲେ ଏବଂ ସେଠାରୁ ଗ୍ରାମବାସୀଙ୍କ ସହାୟତାରେ ପୁଣି ପାହାଡ଼ିଆ ରାସ୍ତା ଦେଇ ରୋଗୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନୀକଟକୁ ବୋହି ଆଣିଥିଲେ । ପରେ ରୋଗୀଙ୍କୁ ଆମ୍ବୁଲାନ୍ସରେ ଆଣି ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସା ସମ୍ଭବ ନହେବା କାରଣରୁ ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ ପୁଣିଥରେ ଆମ୍ବୁଲାନ୍ସରେ ଆଣି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଏଭଳି ମାନବିକତା ଓ କର୍ତବ୍ୟପରାୟଣତା ଦେଖି ଅଂଚଳବାସୀ ବେଶ ପ୍ରଶଂସା କରିଛନ୍ତି ।


Share It

Comments are closed.