ଅପହଂଚ ଅଂଚଳରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ରାୟଗଡ଼ା: ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜ କର୍ତବ୍ୟ ପରିସରରୁ ଊର୍ଦ୍ଧ୍ୱକୁ ଯାଇ ରୋଗୀଙ୍କୁ ସାହାଯ୍ୟ କରିଥିବାର ଅନେକ ନଜିର ଆମ ଆଖି ସାମ୍ନାକୁ ଆସିଛି । ଯାହାର ଦୁଇଟି ଜ୍ୱଳନ୍ତ ଉଦାହରଣ ବର୍ତମାନ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ଯେଉଁଠାରେ ଗୋଟିଏ ଘଟଣାରେ ଜଣେ ଆମ୍ବୁଲାନ୍ସ କର୍ମଚାରୀ ଜନୈକା ଗର୍ଭବତୀଙ୍କୁ ପ୍ରାୟ ୩ କି.ମି ଷ୍ଟ୍ରେଚରରେ ବୋହିଆଣିଥିବାବେଳେ ଅନ୍ୟ ଏକ ଘଟଣ।।ରେ ଅନ୍ୟ ଜଣେ ଆମ୍ବୁଲାନ୍ସ କର୍ମଚାରୀ ଜଣେ ଗର୍ଭବତୀଙ୍କୁ ପ୍ରାୟ ୨ କି.ମି ଖଟିଆରେ ବୋହି ଆଣିଛନ୍ତି । ପ୍ରଥମ ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୁରୂପାଇ ଗ୍ରାମରେ । ଯେଉଁଠାରେ ରାମଚନ୍ଦ୍ର ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ସୁଧା ଦେଇ ମାଝୀ (୨୩ବର୍ଷ)ଙ୍କୁ ପ୍ରସବ ଯନ୍ତ୍ରଣା ହେବା କାରଣରୁ ପରିବାର ଲୋକେ ନୀକଟସ୍ଥ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଖରାପ ରାସ୍ତା କାରଣରୁ ଗାଁଠାରୁ ପ୍ରାୟ ୩ କି.ମି ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଯାହାପରେ ଆମ୍ବୁଲାନ୍ସ କର୍ମଚାରୀ ପରୀକ୍ଷିତ ନାଏକ ନିଜେ ଗାଁ ମଧ୍ୟକୁ ଯାଇ ପରିବାର ଲୋକଙ୍କ ସହାୟତାରେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନୀକଟକୁ ବୋହି ଆଣିଥିଲେ । ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।

ସେହିଭଳି ଅନ୍ୟ ଏକ ଘଟଣାରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ସୋରଡ଼ା ଗ୍ରାମ ନିବାସୀ ଦୟାନନ୍ଦ କାଣ୍ଡଗୋରିଙ୍କ ସ୍ତ୍ରୀ ପୁଷ୍ପା କାଣ୍ଡଗୋରି (୨୨)ଙ୍କୁ ପ୍ରସବ ଯନ୍ତ୍ରଣା ହେବା କାରଣରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ମାତ୍ର ପୂର୍ବ ଘଟଣା ଭଳି ଖରାପ ରାସ୍ତା କାରଣରୁ ଆମ୍ବୁଲାନ୍ସଟି ଆଗକୁ ନଯାଇ ପାରି ଗାଁ ଠାରୁ ପ୍ରାୟ ୨ କି.ମି ଦୂରରେ ଅଟକି ରହିଥିଲା । ଯାହାପରେ ଆମ୍ବୁଲାନ୍ସ ଚାଳକ ପି ଶଙ୍କର ରାଓ, ଆଶା କର୍ମୀ ଏବଂ ପରିବାର ଲୋକଙ୍କ ସହାୟତାରେ ଗର୍ଭବତୀଙ୍କୁ ଏକ ଖଟିଆରେ ଆମ୍ବୁଲାନ୍ସ ନୀକଟକୁ ବୋହିଆଣିଥିଲେ । ମାତ୍ର ରାସ୍ତାରେ ଆଣିବା ସମୟରେ ଉକ୍ତ ମହିଳାଜଣଙ୍କ ଏକ କନ୍ୟାସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଯାହାପରେ ଉଭୟ ମା ଓ ଝିଅଙ୍କୁ ରାମନାଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ବର୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡ଼ିଛି । ଉଭୟ ଆମ୍ବୁଲାନ୍ସ କର୍ମଚାରୀ ସେମାନଙ୍କର ଏଭଳି ମହାନ କାର୍ଯ୍ୟ ପାଇଁ ସର୍ବସାଧାରଣରେ ବେଶ ପ୍ରଶଂସିତ ହୋଇଛନ୍ତି ।


Share It

Comments are closed.