ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାକୁ ପୂରିଲା ୭ ବର୍ଷ


ମାଗଣା ଜରୁରୀକାଳୀନ ଆମ୍ବୁଲାନ୍ସ ସେବା, ୧୦୮ ଆମ୍ବୁଲାନ୍ସ ଆଜି ଅର୍ଥାତ୍ ୫ ମାର୍ଚ୍ଚ ୨୦୨୦ରେ ଓଡିଶାରେ ଏହାର ୭ ବର୍ଷର ଯାତ୍ରା ସମ୍ପୁର୍ଣ୍ଣ କରିଛି । ରାଜ୍ୟରେ ମାର୍ଚ୍ଚ ୨୦୧୩ରେ ଆରମ୍ଭ ହେବା ପରଠାରୁ ଏହା ୨୭ ଲକ୍ଷରୁ ଅଧିକ ମୂଲ୍ୟବାନ ଜୀବନ ବଂଚାଇବାରେ ସହଯୋଗ କରିଛି । ରାଜ୍ୟର ଉଭୟ ସହରାଂଚଳ ଓ ଦୁର୍ଗମ ଅଂଚଳରେ ରହୁଥିବା ରୋଗୀମାନେ ଏହି ସେବା ଦ୍ୱାରା ଉପକୃତ ହୋଇଛନ୍ତି; ଯାହାକୁ ଓଡିଶାରେ ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ବଜାୟ ରଖିବାରେ ଅଦ୍ଭୁତପୂର୍ବ ବୋଲି କୁହାଯାଉଛି । ରାଜ୍ୟରେ ଏହାର ୭ମ ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ଆମ୍ବୁଲାନ୍ସ ଅପରେଟିଙ୍ଗ୍ ଏଜେନ୍ସି, ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍ ପକ୍ଷରୁ ଏହାର ପରିସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଜିକିତ୍ସାର ଶତାଧିକ କର୍ମଚାରୀ ଓ ସଦସ୍ୟ ଏହି ମହାନ କାର୍ଯ୍ୟରେ ଯୋଗ ଦେଇଥିଲେ । ଏଠାରେ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ, ଡି ପ୍ରକାଶ ରାଓ ଜିକିତ୍ସା ହେଲ୍‌ଥକେୟାର ଲିଃକୁ ବିଭିନ୍ନ ବାଧାବିଘ୍ନ ସତ୍ୱେ ଲୋକମାନଙ୍କୁ ସେବା ପହଂଚାଇବା ପାଇଁ ଜାରି ରଖିଥିବା ଏହାର ନିରନ୍ତର ପ୍ରୟାସ ପାଇଁ ପ୍ରଶଂସା କରିଛନ୍ତି ।
ଏହି ଅବସରରେ ଜିକିତ୍ସା ହେଲଥ କେୟାର ଲିଃ.ର ଓଡ଼ିଶା ମୁଖ୍ୟ, ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତିଯେ, “ଆମେ ରାଜ୍ୟରେ ଆମ୍ବୁଲାନ୍ସ ସେବା ପ୍ରଦାନ କରିବାରେ ୭ ବର୍ଷ ପୁରଣ କରିଥିବାରୁ ଖୁବ୍ ଉତ୍ସାହିତ । ଆମେ ଏହି ସମୟ ଅବଧି ମଧ୍ୟରେ ଆମର ସେବାକୁ ଅଧିକ ମଜଭୁତ ଓ ବହୁଗୁଣିତ କରିପାରିଛୁ । ଆମେ ପ୍ରାୟ ୩୪ ମିଲିୟନ କଲ୍ ରିସିଭ୍ କରିଥିବା ବେଳେ ଲୋକଙ୍କୁ ସେବା ପ୍ରଦାନ କରିବା ପାଇଁ ଏହାମଧ୍ୟରୁ ୪୭ ଲକ୍ଷ ଜବ୍ ଆଇଡି ସୃଷ୍ଟି କରାଯାଇଥିଲା । ଆମର କର୍ମଚାରୀମାନଙ୍କ ମହତ୍ କାର୍ଯ୍ୟ ରାଜ୍ୟର କୋଣଅନୁକୋଣରୁ ପ୍ରଶଂସା ସାଉଁଟିଛନ୍ତି; ସେହିପରି କର୍ତ୍ତବ୍ୟରେ ଯେକୌଣସି ପ୍ରକାରର ଅବହେଳା ପାଇଁ ସେମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ମଧ୍ୟ ପଡିଛି । ଗତ ଏକ ବର୍ଷ ମଧ୍ୟରେ ସେବା ପାଇଁ ଲାଂଚ ନେବା ଅଭିଯୋଗରେ ଦୋଷୀ ପ୍ରମାଣିତ ହୋଇଥିବା ଆମର ୩ ଜଣ କର୍ମଚାରୀଙ୍କୁ ଆମେ ଚାକିରିରୁ ବହିଷ୍କାର କରିଛୁ ।’
ସେ ଆହୁରି ମଧ୍ୟ କହିଛନ୍ତିଯେ, “ଆମେ ଆମର ବାର୍ଷିକୀ ପାଳନ ପାଇଁ କେନ୍ଦ୍ର ପରିସରରେ ରକ୍ତଦାନ ଶିବିରର ଆୟୋଜନ କରିଥିଲୁ । ରକ୍ତ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ସହଯୋଗ କରିବା ଏବଂ କର୍ମଚାରୀଙ୍କ ମଧ୍ୟରେ ମାନବିକତାକୁ ପ୍ରୋତ୍ସାହିତ କରିବା ଆମର ଏହି ଛୋଟ ପ୍ରାୟସର ଉଦ୍ଦେଶ୍ୟ ରହିଛି ।’
ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍ ବର୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୫୧୨ଟି ଆମ୍ବୁଲାନ୍ସ ସହ ୧୦୮ ଜରୁରୀକାଳିନ ଆମ୍ବୁଲାନ୍ସ ସେବା ପରିଚାଳନା କରୁଛି; ଏହାମଧ୍ୟରୁ ୯୨ଟି ଆମ୍ବୁଲାନ୍ସ ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ । ଏହାମଧ୍ୟରୁ ୩୮୮ଟି ଆମ୍ବୁଲାନ୍ସରେ ବେସିକ୍ ଲାଇଫ୍ ସେଭିଙ୍ଗ୍ (ବିଏଲ୍‌ଏସ୍‌) ସୁବିଧା ରହିଥିବା ବେଳେ ୫୬ଟି ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଓ ଷ୍ଟେଟ୍ ଅଫ୍ ଆର୍ଟ ଫ୍ୟାସିଲିଟି ରହିଛି । ସେହିପରି ୪ଟି ଆମ୍ବୁଲାନ୍ସକୁ ବ୍ୟାକ୍‌ଅପ୍ ଭାବେ ରଖାଯାଇଛି । ୧୦୮ ଆମ୍ବୁଲାନ୍ସଗୁଡିକୁ ରାଜ୍ୟର ସମସ୍ତ ପ୍ରମୁଖ ସହର ସମେତ ଦୁର୍ଗମ ଅଂଚଳଗୁଡିକରେ ମଧ୍ୟ ନିୟୋଜିତ କରାଯାଇଛି । ଦରିଦ୍ରରୁ ଅତି ଦରିଦ୍ର ରୋଗୀ ମଧ୍ୟ ମାଗଣାରେ ଆମ୍ବୁଲାନ୍ସ ସେବା ପାଇପାରିବେ । ଏହି ସେବା ୪୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ଏହାର ଭେଣ୍ଡର ଏଜେନ୍ସିଗୁଡିକ ମାଧ୍ୟମରେ ଅନେକ ଅପ୍ରତ୍ୟକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି କରିଛି ।
ଏଭଳି ଅନେକ ଉଦାହରଣ ରହିଛି; ଯେଉଁଠାରେ ଏହାର ସଦସ୍ୟମାନେ ପ୍ରତିକୂଳ ପରିସ୍ଥିତି ସତ୍ୱେ ମୂଲ୍ୟବାନ ଜୀବନ ବଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ୧୦୮ ଆମ୍ବୁଲାନ୍ସ ସେବା ଭୁବନେଶ୍ୱରରେ ଥିବା ଷ୍ଟେଟ୍ ଅଫ୍ ଦ ଆର୍ଟ ମେନ୍ ସେଂଟର୍ ମାଧ୍ୟମରେ ପରିଚାଳିତ ହେଉଛି । ଏଠାରେ ସେବା ଆବଶ୍ୟକ କରୁଥିବା ଲୋକମାନଙ୍କ କଲ୍ ରିସିଭ୍ କରିବା ପାଇଁ ଏକ କଲ୍ ସେଂଟର୍ ରହିଛି । ରୋଗୀ ତଥା ସେମାନଙ୍କ ସମ୍ପର୍କୀୟ ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ୧୦୮ ଆମ୍ବୁଲାନ୍ସକୁ କଲ୍ କରିଥାନ୍ତି । କଲ୍ ପାଇବା ପରେ ଭୁବନେଶ୍ୱରର ଇଂଟିଗ୍ରେଟେଡ୍ ସେଂଟର୍ ରୋଗୀଙ୍କ ବାସ୍ତବ ଲୋକେସନ ଚିହ୍ନଟ କରିବାକୁ ଚେଷ୍ଟା କରିଥାଏ ଏବଂ ନିକଟସ୍ଥ ଉପଲବ୍ଧ ଥିବା ଆମ୍ବୁଲାନ୍ସକୁ ରୋଗୀଙ୍କ ନିକଟରେ ଯଥାଶୀଘ୍ର ପହଂଚିବାକୁ ପରାମର୍ଶ ଦେଇଥାଏ ।
ଏହି ଆମ୍ବୁଲାନ୍ସଗୁଡିକ ପରିଚାଳନାଗତ ଜିଲ୍ଲାଗୁଡିକରେ ରଣନୈତିକ ଭାବେ ଅବସ୍ଥାପିତ ରହିଥାନ୍ତି ଯାହାଫଳରେ ସର୍ବନିମ୍ନ ସମୟ ମଧ୍ୟରେ ସେଗୁଡିକ ସମ୍ପୂର୍ଣ୍ଣ ଜିଲ୍ଲାକୁ କଭର୍ କରିପାରିବେ । ଜଣେ ବ୍ୟକ୍ତି ଫୋନ୍ କରିବାଠାରୁ ଆରମ୍ଭ କରି ଆମ୍ବୁଲାନ୍ସରେ ଆବଶ୍ୟକୀୟ ପ୍ରି-ହସ୍ପିଟାଲ କେୟାର ପ୍ରଦାନ କରିବା ଏବଂ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପର୍ଯ୍ୟନ୍ତ ଏହି ସମସ୍ତ ସେବା ଓଡିଶାର ସମସ୍ତ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ମଗଣା ରହିଛି ।
ଏଭଳି ଅନେକ ଘଟଣା ରହିଛି ଯେଉଁଠାରେ ଆମ୍ବୁଲାନ୍ସ ସେବାର ସଦସ୍ୟମାନେ ସେମାନଙ୍କ କାର୍ଯ୍ୟରେ ସଚ୍ଚୋଟତା ଓ ମାନବିକତାର ପ୍ରଦର୍ଶନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଗତ କିଛି ବର୍ଷ ହେବ ୧୦୮ କର୍ମଚାରୀମାନେ ଆହତ ବ୍ୟକ୍ତିମାନଙ୍କ ମୂଲ୍ୟବାନ ସାମଗ୍ରୀଗୁଡିକୁ ସେମାନଙ୍କ ପରିଜନ ଓ ସମ୍ପର୍କୀୟଙ୍କୁ ପ୍ରଦାନ କରି, ରୋଗୀଙ୍କୁ ରକ୍ତଦାନ କରି ଓ ଅଧିକ ବାଟ ଅତିକ୍ରମ କରି ରୋଗୀମାନଙ୍କୁ ସାହାଯ୍ୟକରି ସାଧାରଣ ଜନତାଙ୍କଠାରୁ ପ୍ରଶଂସା ସାଉଁଟି ପାରିଛନ୍ତି । ଏହି ସଦସ୍ୟମାନେ ରାଜ୍ୟର ସମସ୍ତ କୋଣରୁ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି ।


Share It

Comments are closed.