ଆମ୍ବୁଲାନ୍ସ ପାଇଁ ଆଉ ୧୦୨ ନୁହେଁ ଏବେ କେବଳ ୧୦୮


ଭୁବନେଶ୍ୱର : ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସହଭାଗିତାରେ ପ୍ରଚଳିତ ୧୦୮ ଆମ୍ବୁଲାନ୍ସ ଏବେ ଗର୍ଭବତୀଙ୍କ ସହ ସମସ୍ତ ପ୍ରକାର ରୋଗୀଙ୍କୁ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରିପାରିବେ । ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ମାନଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ସହ ମିଶ୍ରଣ କରାଯାଇଛି । ଏହା ଦ୍ୱାରା ରାଜ୍ୟରେ ପ୍ରତ୍ୟେକ ରୋଗୀର ଆମ୍ବୁଲାନ୍ସ ଆବଶ୍ୟକତା ପାଇଁ କେବଳ ମାଗଣା ୧୦୮ ନମ୍ବର ହିଁ କଲ କରିବାକୁ ହେବ ।
ଏ ସଂପର୍କରେ ସୂଚନା ଦେଇ ଓଡିଶାରେ ୧୦୮ ଆମ୍ବୁଲାନ୍ସକୁ ପ୍ରରିଚାଳନା କରୁଥିବା ଜିକିତ୍ସା ହେଲଥ କେୟାର ଓଡଶା ମୁଖ୍ୟ ଶ୍ରୀ ସବ୍ୟସଚୀ ବିଶ୍ୱାଳ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଆମ୍ବୁଲାନ୍ସ ସେବା ପାଇଁ ଏକକ ନମ୍ବର କରାଯିବା ଅତି ଉତ୍ତମ ପଦକ୍ଷେପ । ଏହା ଦ୍ୱାରା ଗର୍ଭବତୀଙ୍କ ଠାରୁ ନେଇ ବିଭିନ୍ନ ରୋଗୀ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଯିବାକୁ ହେଲେ କେବଳ ୧୦୮ ନମ୍ବରକୁ ହିଁ କଲ କରିବେ । ପୂର୍ବରୁ ଗର୍ଭବତୀ ଏବଂ ଦୁଇ ବର୍ଷରୁ କମ ଛୋଟ ପିଲାଙ୍କ ପାଇଁ ପ୍ରଚଳିତ ୧୦୨ ଆମ୍ବୁଲାନ୍ସ ସେବା ଏବଂ କଲ ସେଣ୍ଟରକୁ ୧୦୮ ସହ ମିଶ୍ରଣ କରଯାଇଛି । ଏହା ବାଦ ୧୦୨ କଲ ସେଣ୍ଟର ଆବଶ୍ୟକତା ଆଗକୁ ନଥିବା ଦୃଷ୍ଟିରୁ ଏହାକୁ ବନ୍ଦ କରିବା ପ୍ରକ୍ରିୟା ଧିରେ ଧିରେ ଆରମ୍ଭ ହୋଇଯିବ ।
ଏହା ସହ ଶ୍ରୀ ବିଶ୍ୱାଳ ଆହୁରୀ କହିଛନ୍ତି ଯେ, କରୋନା ମହାମାରୀର ଆରମ୍ଭରୁ ଆମର ଆମ୍ବୁଲାନ୍ସ କର୍ମୀମାନେ ଅଦମ୍ୟ ସାହସର ସହ ସେବାକୁ ନିରନ୍ତର ଜାରି ରଖିଛନ୍ତି । ମହାମାରୀ ଆରମ୍ଭ ହେବା ପରେ ଆମେ ଆମର କ୍ରିୟୁ ମେମ୍ବର ମାନଙ୍କ ପାଇଁ କରୋନା ସଂପର୍କିତ ନିର୍ଦ୍ଦେଶାବଳୀ ଜାରି କରିଥିଲୁ । ଏହା ଅନ୍ତର୍ଗତ ସେମାନେ କୋଭିଡର ସମସ୍ତ ନିୟମ ପାଳନ କରି ସେବା ଯୋଗାଇ ଆସୁଛନ୍ତି ଯାହା ମଧ୍ୟରେ ରହିଛି ପ୍ରତ୍ୟେକ କ୍ରିୟୁ ମେମ୍ବରଙ୍କ ପାଇଁ ମେସ ମାସ୍କ , ହେଡ କଭର , ହ୍ୟାଣ୍ଡ ଗ୍ଲୋବ୍ସ ଆଦି ବାଧ୍ୟତାମୂଳକ ପ୍ରରିଧାନ, ପ୍ରତ୍ୟେକ ଆମ୍ବୁଲାନ୍ସରେ ସାନିଟାଇଜର ଉପଲବ୍ଧତା ଏହା ବାଦ ପ୍ରତ୍ୟେକ ରୋଗୀର ସ୍ଥାନାନ୍ତର ପରେ ଆମ୍ବୁଲାନ୍ସକୁ ସଂପୂର୍ଣ୍ଣ ସାନିଟାଇଜ କରିଥାଉ । ଏହି ସବୁ ପଦକ୍ଷେପର ଫଳ ସୂରୁପ ମହାମାରୀର କରାଳତା ମଧ୍ୟରେ ଲୋକମାନଙ୍କ ୧୦୮ ଆମ୍ବୁଲାନ୍ସର ଚାହିଦା ବଢିଛି । ରୋଗୀମାନେ ସରକାରୀ ଆମ୍ବୁଲାନ୍ସକୁ ଅଧିକ ସୁରକ୍ଷିତ ଏବଂ ପରିମଳଯୁକ୍ତ ବୋଲି ମଣୁଛନ୍ତି ।
ଓଡିଶାରେ ମାର୍ଚ୍ଚ ୨୦୦୩ରୁ ଆରମ୍ଭ ହୋଇଥିବା ଏହି ୧୦୮ ଆମ୍ବୁଲାନ୍ସ ସେବା ବର୍ତ୍ତମାନ ସୁଧା ୫୧ ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ସ୍ଥାନାନ୍ତର କରିପାରିଛି । ସାରା ଓଡିଶାର ୩୦ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହାର ସେବା ମିଳିପାରିଛି । ବର୍ତ୍ତମାନ ସୁଧା ଓଡିଶାରେ ଏହାର ୧୧୨୪ଟି ଆମ୍ବୁଲାନ୍ସ ଚାଲୁଥିବାବେଳେ ବିଭିନ୍ନ ଜଳବନ୍ଦୀ ଅଞ୍ଚଳମାନଙ୍କ ପାଇଁ ୬ଟି ବୋଟ ଆମ୍ବୁଲାନ୍ସ ମଧ୍ୟ ଚାଲିଛି ।
୧୦୮ ଆମ୍ବୁଲାନ୍ସର କ୍ରିୟୁ ମେମ୍ବରମାନେ ସହରରୁ ଆରମ୍ଭ କରି ବିଭିନ୍ନ ଉପାନ୍ତ ଅଞ୍ଚଳରେ ରୋଗୀମାନଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛନ୍ତି । ବିଭିନ୍ନ ସମୟରେ ଏହାର କର୍ମଚାରୀମାନେ ନିଜ କାର୍ଯ୍ୟକ୍ଷେତ୍ରରୁ ବାହାରକୁ ଯାଇ ରୋଗୀମାନଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି । ଯେଉଁଠି ରାସ୍ତା ନଥାଏ ବା ଖରାପ ରାସ୍ତା ଥାଏ ଆମ୍ବୁଲାନ୍ସ କର୍ମୀ ରୋଗୀମାନଙ୍କୁ ତାଙ୍କ ଘରୁ ଷ୍ଟ୍ରେଚରରେ ଅନେକ କି.ମି ଚାଲି ଆମ୍ବୁଲାନ୍ସ ପାଖକୁ ନେଇ ଆସନ୍ତି । କେଉଁଠି ରୋଗୀଙ୍କର ରକ୍ତ ଦରକାର ପଡଲେ ୧୦୮ ଆମ୍ବୁଲାନ କର୍ମୀ ରକ୍ତଦାନ ମଧ୍ୟ କରନ୍ତି । ଏହା ବାଦ ବିଭିନ୍ନ ସମୟରେ ଆମ୍ବୁଲାନ୍ସରେ ରୋଗୀମାନେ ଛାଡିଦେଉଥିବା ବିଭିନ୍ନ ମୂଲ୍ୟବାନ ଜିନିଷ ଫେରସ୍ତ କରି ନିଜର ସଚ୍ଚୋଟତାର ପରିଚୟ ମଧ୍ୟ ଦେଇଥାନ୍ତି ।


Share It

Comments are closed.