ସ୍ୱାମୀ ବିବେକାନନ୍ଦଙ୍କ ସଂପର୍କିତ ଏପରି କିଛି ରୋଚକ ତଥ୍ୟ, ଯାହାକୁ ଅନେକ ଜାଣିନଥିବେ

ସାହିତ୍ୟ, ଦର୍ଶନ ଓ ଇତିହାସର ପ୍ରକାଣ୍ଡ ବିଦ୍ୱାନ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ୧୨ ଜାନୁଆରୀ ୧୮୬୩ରେ କୋଲ୍କାତାରେ ହୋଇଥିଲା । ବିବେକାନନ୍ଦ ଆଜୀବନ ସନ୍ୟାସୀ ଥିଲେ ଓ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶ ଓ ସମାଜର ମଙ୍ଗଳ ପାଇଁ କାମ କରୁଥିଲେ । ସେ ଆମେରିକାର ସିକାଗୋରେ ୧୮୯୩ରେ ଆୟୋଜିତ ବିଶ୍ୱ ଧର୍ମ ମହାସଭାରେ ଯେଉଁ ଭାଷଣ ଦେଇଥବଲେ ତାହାକୁ ଆଜି ମଧ୍ୟ ମନେ ପକାଯାଉଛି । ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ସ୍ୱାମୀ ବିବେକାନନ୍ଦ ନିଜ ଭାଷଣର ଆରମ୍ଭ ‘ମୋର ଆମେରିକୀୟ ଭାଇ ଓ ଭଉଣୀ’ ଉକ୍ତି ସହ କରିଥିଲେ । ତାଙ୍କର ଏହି ଛୋଟିଆ ଉକ୍ତି ସମସ୍ତଙ୍କ ହୃଦୟକୁ ଜିତି ନେଇଥିଲା ଏବଂ ସମଗ୍ର ହଲ୍ ତାଳିରେ ଗୁଞ୍ଜରିତ ହୋଇ ଉଠିଥିଲା । ଭାରତରେ ତାଙ୍କର ଜନ୍ମଦିନକୁ ପ୍ରତିବର୍ଷ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ଆସନ୍ତୁ ଜାଣିବା ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ସମ୍ପର୍କିତ କିଛି ରୋଚକ ତଥ୍ୟ:
୧- ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ କୋଲକାତାର କାୟସ୍ଥ ପରିବାରରେ ହୋଇଥିଲା । ଛୋଟ ବେଳେ ତାଙ୍କ ନାମ ଥିଲା ନରେନ୍ଦ୍ରନାଥ ଦତ । ତାଙ୍କ ପିତା ବିଶ୍ୱନାଥ ଦତ କୋଲ୍କାତା ହାଇକୋର୍ଟରେ ଓକିଲ ଥିଲେ । ସେହିପରି ମା’ ଭୁବନେଶ୍ୱରୀ ଦେବୀ ଧାର୍ମିକ ବିଚାରଧାରା ସମ୍ପନ୍ନ ମହିଳା ଥବଲେ । ତାଙ୍କ ଜେଜେ ବାପା ଦୂର୍ଗାଚରଣ ଦତ ସଂସ୍କୃତ ଓ ଫାର୍ସି ଭାଷାର ବିଦ୍ୱାନ ଥିଲେ । ବିବେକାନନ୍ଦ ମାତ୍ର ୨୫ ବର୍ଷ ବୟସରେ ସାଂସାରିକ ଜୀବନ ଛାଡି ସାଧୁ ହୋଇଯାଇଥିଲେ । ୧୮୮୪ରେ ବିବେକାନନ୍ଦଙ୍କ ପିତାଙ୍କ ଦେହାନ୍ତ ପରେ ପରିବାରର ଭରଣପୋଷଣ ଦାୟିତ୍ୱ ତାଙ୍କ କାନ୍ଧକୁ ଚାଲିଆସିଥିଲା । ସେ ନିଜେ ଭୋକରେ ରହି ଅତିଥିଙ୍କୁ ଖାଦ୍ୟ ଦେଉଥିଲେ । ବିବେକାନନ୍ଦ ପିଲାଟି ଦିନରୁ ଅତି ବୁଦ୍ଧିମାନ ଥିଲେ ଏବଂ କମ୍ ବୟସରଙ୍କ ହିଁ ସେ ବେଦ ଓ ଦର୍ଶନ ଶାସ୍ତ୍ରର ଜ୍ଞାନ ହାସଲ କରିଥିଲେ ।
୨- ନରେନ୍ଦ୍ରନାଥ ବା ବିବେକାନନ୍ଦ ୧୮୭୧ରେ ୮ ବର୍ଷ ବୟସରେ ସ୍କୁଲ୍ ଯାଇଥିଲେ । ୧୮୭୯ରେ ସେ ପ୍ରେସିଡେନ୍ସି କଲେଜର ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ସେ ଜେନେରାଲ ଆସେମ୍ବ୍ଲି ଇନଷ୍ଟିଚ୍ୟୁଟ୍ (ଏବେ ସ୍କଟିସ୍ ଚର୍ଚ୍ଚ କଲେଜ)ରୁ ପାଶ୍ଚାତ୍ୟ ତର୍କ, ପାଶ୍ଚାତ୍ୟ ଦର୍ଶନ ଓ ୟୁରୋପୀୟ ଇତିହାସର ଅଧ୍ୟୟନ କରିଥିଲେ ।
୩- ରାମକୃଷ୍ଣ ପରମହଂସ ସେହି ବ୍ୟକ୍ତି ଥିଲେ ଯିଏକି ଜଣେ ଜହୁରୀଙ୍କ ଭଳି ନରେନ୍ଦ୍ରନାଥଙ୍କ ଭଳି ଜଣେ ଅମୂଲ୍ୟ ହୀରାଙ୍କୁ ଚିହ୍ନଟ କରିପାରିଥିଲେ । ନିଜ କଲେଜର ପ୍ରିନ୍ସିପାଲ ୱିଲିୟମ ହେଷ୍ଟିଙ୍କଠାରୁ ରାମକୃଷ୍ଣ ପରମହଂସଙ୍କ ସମ୍ପର୍କରେ ଶୁଣିବା ପରେ ତାଙ୍କୁ ଭେଟିବା ପାଇଁ ବିବେକାନନ୍ଦ ନଭେମ୍ବର ୧୮୮୧ରେ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ପହଂଚିଥିଲେ । ରାମକୃଷ୍ଣ ପରମହଂସଙ୍କୁ ମଧ୍ୟ ବିବେକାନନ୍ଦ ସମାନ ପ୍ରଶ୍ନ ପଚାରିଥିଲେ ଯାହା ସେ ଅନ୍ୟମାନଙ୍କୁ ପଚାରି ସାରିଥିଲେ; “କ’ଣ ଆପଣ ଭଗବାନଙ୍କୁ ଦେଖିଛନ୍ତି?” ରାମକୃଷ୍ଣ ପରମହଂସ ଜବାବ ଦେଇଥିଲେ, “ହଁ ମୁଁ ଦେଖିଛି, ମୁଁ ଭଗବାନଙ୍କୁ ସେତିକି ସ୍ପଷ୍ଟ ଦେଖିପାରୁଛି ଯେତିକି ତୁମକୁ ଦେଖିପାରୁଛି” । ଫରକ୍ କେବଳ ଏତିକି ଯେ, ମୁଁ ତାଙ୍କୁ ତୁମଠାରୁ ଅଧିକ ଗଭୀରତାର ସହ ଅନୁଭବ କରିପାରୁଛି ।
୪- ରାମକୃଷ୍ଣ ପରମହଂସଙ୍କ ଜବାବରେ ବିବେକାନନ୍ଦ ପ୍ରଭାବିତ ହୋଇଥିଲେ ସତ କିନ୍ତୁ ସହମତ ନଥିଲେ । ତର୍କବିତର୍କରେ ସେ ରାମକୃଷ୍ଣ ପରମହଂସଙ୍କୁ ବିରୋଧ କରୁଥିଲେ । ସେତେବେଳେ ତାଙ୍କୁ ଜବାବ ମିଳୁଥିଲା, ସତ୍ୟକୁ ସମସ୍ତ କୋଣରୁ ଦେଖିବାକୁ ଚେଷ୍ଟା କର । ରାମକୃଷ୍ଣ ପ୍ରଥମେ ତାଙ୍କୁ ବିଶ୍ୱାସ ଦେଇଥିଲେ ଯେ, ଇଶ୍ୱର ବାସ୍ତବରେ ଅଛନ୍ତି ଓ ମନୁଷ୍ୟ ଇଶ୍ୱରଙ୍କୁ ପାଇପାରିବ । ସେ ବିବେକାନନ୍ଦଙ୍କୁ ‘ସେବା କେବେ ଦାନ ହେବା ଉଚିତ ନୁହେଁ ବରଂ ସମଗ୍ର ମାନବତାରେ ନୀହିତ ଇଶ୍ୱରଙ୍କ ସଚେତନ ଆରାଧନା ହେବା ଉଚିତ’ ବୋଲି ଶିକ୍ଷା ଦେଇଥିଲେ । ତାଙ୍କର ଏହି ଉପଦେଶ ବିବେକାନନ୍ଦଙ୍କ ଜୀବନର ପ୍ରମୁଖ ଦର୍ଶନ ପାଲଟିଥିଲା । ତାଙ୍କୁ ଗୁରୁ ରାମକୃଷ୍ଣ ଆତ୍ମଦର୍ଶନ କରାଇଥିଲେ । ୨୫ ବର୍ଷ ବୟସରଙ୍କ ନରେନ୍ଦ୍ରନାଥ ଦତ ଗେରୁଆ ବସ୍ତ୍ର ପରିଧାନ କରିଥିଲେ ଓ ନିଜ ଗୁରୁଙ୍କ ଦ୍ୱାରା ପ୍ରେରିତ ହୋଇ ସାଂସାରିକ ମୋହମାୟା ତ୍ୟାଗ କରି ସନ୍ୟାସ ହୋଇଯାଇଥିଲେ ।


୫- ୧୬ ଅଗଷ୍ଟ ୧୮୮୬ରେ ରାମକୃଷ୍ଣ ପରମହଂସଙ୍କ ଦେହାନ୍ତର ଦୁଇ ବର୍ଷ ପରେ ନରେନ୍ଦ୍ରନାଥ ଚାଲିଚାଲି ଭାରତ ଭ୍ରମଣ ପାଇଁ ବାହାରିଥିଲେ । ଏହି ସମୟରେ ସେ ଦେଶରେ ବ୍ୟାପିଥିବା ଦାରିଦ୍ର‌୍ୟତା ଓ ପଛୁଆପଣକୁ ଦେଖି ବିଚଳିତ ହୋଇପଡିଥିଲେ । ୬ ବର୍ଷ ପର୍ଯ୍ୟନ୍ତ ନରେନ୍ଦ୍ରନାଥ ଭାରତର ସମସ୍ୟା ଓ ଆଧ୍ୟାତ୍ମ୍ୟର ଗମ୍ଭୀର ସମସ୍ୟା ଓ ପ୍ରଶ୍ନ ଉପରେ ବିଚାର କରିଥିଲେ । କୁହାଯାଏ ଯେ, ଏହି ଯାତ୍ରାର ଶେଷରେ କନ୍ୟାକୁମାରୀଠାରେ ନରେନ୍ଦ୍ରନାଥଙ୍କୁ ନୂତନ ଭାରତ ନିର୍ମାଣ ଦ୍ୱାରା ହିଁ ଦେଶର ସମସ୍ୟା ଦୂର କରାଯାଇପାରିବ ବୋଲି ଜ୍ଞାନ ମିଳିଥିଲା । ଭାରତର ପୁନର୍ନିର୍ମାଣ ପ୍ରତି ଅନୁରାଗ ହିଁ ତାଙ୍କୁ ସିକାଗୋର ଧର୍ମସଂସଦ ପର୍ଯ୍ୟନ୍ତ ନେଇଯାଇଥିଲା ।
୬- ଧର୍ମ ସଂସଦରେ ଭାଷଣ ଦେବା ପୂର୍ବରୁ ସ୍ୱାମୀ ବିବେକାନନ୍ଦ କେବଳ ନରେନ୍ଦ୍ରନାଥ ଥିଲେ ଯିଏକି ଅନେକ କଷ୍ଟର ସାମ୍ନା କରି ଜାପାନ, ଚୀନ୍, କାନାଡା ଯାତ୍ରା କରି ଆମେରିକାରେ ପହଂଚିଥିଲେ । ପ୍ରଥମେ ତାଙ୍କୁ ଧର୍ମ ସଂସଦରେ କହିବା ପାଇଁ ସୁଯୋଗ ଦିଆଯାଇନଥିଲା କିନ୍ତୁ ଯେତେବେଳେ ସେ ‘ଆମେରିକାର ଭାଇ ଓ ଭଉଣୀ’ ବୋଲି ସମ୍ବୋଧିତ କରି ଭାଷଣ ଆରମ୍ଭ କରିଥିଲେ ସେତେବେଳେ ପୂରା ଦୁଇ ମିନିଟ୍ ପର୍ଯ୍ୟନ୍ତ ଆର୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ସିକାଗୋରେ ତାଳି ଗୁଞ୍ଜରିତ ହୋଇଥିଲା । ଏହାପରେ ଧର୍ମ ସଂସଦ ସମ୍ମୋହିତ ହୋଇ ୩୦ ବର୍ଷୀୟ ବିବେକାନନ୍ଦଙ୍କ ଭାଷଣ ଶୁଣିବାକୁ ଲାଗିଥିଲା । ୧୧ ସେପ୍ଟେମ୍ବର ୧୮୯୩ର ସେହି ଦିନ ଚିରକାଳ ପାଇଁ ଇତିହାସରେ ବର୍ଣ୍ଣିତ ହୋଇ ରହିଥିଲା । ଆମେରିକା ଉପରେ ବିବେକାନନ୍ଦ ଯେଉଁ ପ୍ରଭାବ ପକାଇଥିଲେ ତାହା ଆଜି ମଧ୍ୟ ଜାରି ରହିଛି ।୭- ୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ଆମେରିକାର ଭିନ୍ନ ଭିନ୍ନ ସହର, ଲଣ୍ଡନ, ପ୍ୟାରିସ୍, ଜର୍ମାନୀ ଓ ରୁଷ୍ରେ ବେଦାନ୍ତର ସନ୍ଦେଶର ପ୍ରଚାର କରିଥିଲେ । ୧୮୯୭ରେ ଯେତେବେଳେ ବିବେକାନନ୍ଦ ଭାରତ ଫେରିଥିଲେ ତାଙ୍କର ଜୋର୍ଦାର ସ୍ୱାଗତ କରାଯାଇଥିଲା । ସେ ଘୋଷଣା କରିଥିଲେ ବେଦାନ୍ତ ଧର୍ମକୁ ବ୍ୟବହାରିକ କରାଯିବା ଜରୁରୀ ଅଟେ । ତାଙ୍କର ମତ ଥିଲା, କେବଳ ଅଦ୍ୱେତ ବେଦାନ୍ତ ଆଧାରରେ ହିଁ ବିଜ୍ଞାନ ଓ ଧର୍ମ ଏକାସ୍େଗ ଚାଲିପାରିବେ । ରବିନ୍ଦ୍ରନାଥ ଠାକୁର ଥରେ କହିଥିଲେ, ଯଦି ଆପଣ ଭାରତକୁ ଜାଣିବାକୁ ଚାହାନ୍ତି ତେବେ ବିବେକାନନ୍ଦଙ୍କୁ ପଢନ୍ତୁ । ତାଙ୍କଠାରେ ଆପଣ ସବୁକିଛି ସକାରାତ୍ମକ ହିଁ ପାଇବେ, ନକାରାତ୍ମକ କିଛି ବି ପାଇବେ ନାହିଁ ।
୮- ସ୍ୱାମୀ ବିବେକାନନ୍ଦ ୧ ମେ’ ୧୮୯୭ରେ କୋଲ୍କାତାଠାରେ ରାମକୃଷ୍ଣ ମିଶନ ଓ ୯ ଡିସେମ୍ବର ୧୯୮୯ରେ ଗଙ୍ଗା ନଦୀ କୂଳରେ ବେଲୁରଠାରେ ରାମକୃଷ୍ଣ ମଠର ସ୍ଥାପନା କରିଥିଲେ । ସେ ଯୋଗ, ରାଜଯୋଗ ଓ ଜ୍ଞାନଯୋଗ ଭଳି ଗ୍ରନ୍ଥର ରଚନା ମଧ୍ୟ କରିଥିଲେ । ନୋବେଲ ପୁରସ୍କାର ବିଜେତା ଫ୍ରାନ୍ସ୍ର ଲେଖକ ଓ ନାଟ୍ୟକାର ରୋମାନ୍ ରୋଲାଣ୍ଡ, ସ୍ୱାମୀ ବିବେକାନନ୍ଦଙ୍କ ସମ୍ପର୍କରେ କହିଥିଲେ, ‘ତାଙ୍କର ଦ୍ୱିତୀୟ ହେବାର କଳ୍ପନା କରିବା ମଧ୍ୟ ଅସମ୍ଭବ ଅଟେ, ସେ ଯେଉଁ ସ୍ଥାନକୁ ଯାଇଛନ୍ତି ସର୍ବପ୍ରଥମ ରହିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ତାଙ୍କଠାରେ ନିଜ ନେତାଙ୍କ ଦିଗ୍ଦର୍ଶନ କରୁଥିଲେ । ସେ ଇଶ୍ୱରଙ୍କ ପ୍ରତିନିଧି ଥିଲେ ଓ ସମସ୍ତଙ୍କ ଉପରେ ପ୍ରଭୁତ୍ୱ ପ୍ରାପ୍ତ କରିନେବା ହିଁ ତାଙ୍କର ସ୍ୱତନ୍ତ୍ରତା ଥିଲା ।’


୯- ସ୍ୱାମୀ ବିବେକାନନ୍ଦ ଆସ୍ଥମା ଓ ମଧୁମେହ ରୋଗରେ ପୀଡିତ ଥିଲେ । ସେ କହିଥିଲେ, ଏହି ରୋଗ ତାଙ୍କୁ ୪୦ ବର୍ଷ ମଧ୍ୟ ଟପିବାକୁ ଦେବନାହିଁ । ନିଜ ମୃତ୍ୟୁ ସମ୍ପର୍କରେ ତାଙ୍କର ଭବିଷ୍ୟବାଣୀ ସତ ହୋଇଥିଲା ଏବଂ ୩୯ ବର୍ଷ ବୟସରଙ୍କ ୪ ଜୁଲାଇ ୧୯୦୨ରେ ବେଲୁରସ୍ଥିତ ରାମକୃଷ୍ଣ ମଠରେ ଧ୍ୟାନମଗ୍ନ ଅବସ୍ଥାରେ ମହାସମାଧି ଧାରଣ କରି ସେ ପ୍ରାଣ ତ୍ୟାଗ କରିଥିଲେ । ବେଲୁରରେ ଗଙ୍ଗା ନଦୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ଗଙ୍ଗା ନଦୀ କୂଳର ଆରପଟରେ ତାଙ୍କ ଗୁରୁ ରାମକୃଷ୍ଣ ପରମହଂସଙ୍କ ଅନ୍ତିମ ସଂସ୍କାର ହୋଇଥିଲା । କନ୍ୟା କୁମାରୀରେ ସ୍ଥଳଭାଗରୁ ୫୦୦ ମିଟର ଗଭୀର ସମୁଦ୍ରରେ ବିବେକାନନ୍ଦ ରକ୍ ମେମୋରିୟାଲ ସ୍ଥାପନ କରାଯାଇଛି, ଯାହାକୁ ଦେଖିବା ପାଇଁ ଦୂରଦୁରାନ୍ତରୁ ବହୁ ପର୍ଯ୍ୟଟକ ଆସିଥାନ୍ତି ।
୧୦- ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ଅର୍ଥାତ୍ ୧୨ ଜାନୁଆରୀରେ ଭାରତରେ ପ୍ରତିବର୍ଷ ରାଷ୍ଟ୍ରୀୟ ଯୁବ ଦିବସ ପାଳନ କରାଯାଇଥାଏ । ଏହାର ଆରମ୍ଭ ୧୯୮୫ରୁ ହୋଇଥିଲା । ଭାରତ ସରକାରଙ୍କ ମତ ଥିଲା ଭାରତୀୟ ଯୁବପିଢିଙ୍କ ପାଇଁ ସ୍ୱାମୀ ବିବେକାନନ୍ଦଙ୍କଠାରୁ ବଡ ଅନ୍ୟ କେହି ନେତା ହୋଇପାରିବେ ନାହିଁ ।

Comments are closed.