ମହାରାଷ୍ଟ୍ରର ଭଣ୍ଡାରା ଠାରେ ଏକ ଅଭାବନୀୟ ଦୁର୍ଘଟଣା, ହସ୍ପିଟାଲରେ ନିଆଁ ଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ


ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଭଣ୍ଡାରାଠାରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି। ରାତି ଦୁଇଟା ବେଳେ ଭଣ୍ଡାର ଜିଲ୍ଲା ହସ୍ପିଟାଲର ଅସୁସ୍ଥ ନବଜାତ ଶିଶୁ ଚିକିତ୍ସା ୟୁନିଟ୍ (SNCU) ରେ ଅଗ୍ନିକାଣ୍ଡରେ ୧୦ ଶିଶୁଙ୍କର ମୃତ୍ୟୁ ଘଟିଛି। ସାତ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ୟୁନିଟରୁ ସ୍ଥାନାନ୍ତର କରାଯାଇଥିଲା।

କୁହାଯାଉଛି ଯେ ଏହି ପିଲାମାନଙ୍କର ବୟସ ଗୋଟିଏ ଦିନରୁ ତିନିମାସ ପର୍ଯ୍ୟନ୍ତ ଥିଲା। ଡାକ୍ତରଖାନାରେ ଅବହେଳା ଏହି ପିଲାମାନଙ୍କର ଜୀବନ ନେଇଯାଇଛି ।

ସୂଚନା ଅନୁଯାୟୀ, ଆଇସିୟୁ ୱାର୍ଡରେ ସମୁଦାୟ ୧୭ ଜଣ ଶିଶୁ ଉପସ୍ଥିତ ଥିଲେ, ସେଥିମଧ୍ୟରୁ କେବଳ ୭ ଜଣଙ୍କୁ ଉଦ୍ଧାର କରାଯାଇପାରିଛି। କୁହାଯାଉଛି ଯେ ଡ୍ୟୁଟିରେ ଥିବା ନର୍ସ ଯେତେବେଳେ ୱାର୍ଡର କବାଟ ଖୋଲିଥିଲେ ସେତେବେଳେ ଭିତରେ ଧୂଆଁ ବାହାରୁଥିବାର ଦେଖିଥିଲେ । ସେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ କହିଥିଲେ। ଏହା ପରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

କିନ୍ତୁ ସେତେବେଳକୁ ୧୦ ଜଣ ନିରୀହ ଶିଶୁ ଜୀବନ୍ତ ଦଗ୍ଧ ହୋଇସାରିଥିଲେ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ସୂଚନାନୁସାରେ, ଏହା ସର୍ଟ ସର୍କିଟ ହେତୁ ହୋଇପାରେ ବୋଲି ସଂନ୍ଦେହ କରାଯାଉଛି|


Share It

Comments are closed.