ଭୁବନେଶ୍ୱରରେ ଶ୍ୱାସରୋଗୀଙ୍କ ସଂଖ୍ୟା ଏକ ଲକ୍ଷ

ଆଧୁନିକ ଜୀବନଶୈଳୀ ଓ ବିକାଶ ନାମରେ ହେଉଥିବା ପରିବର୍ତ୍ତନ ଯୋଗୁଁ ଲୋକମାନେ ଅନେକ ମାରାତ୍ମକ ରୋଗର ଶିକାର ହେଉଛନ୍ତି । ଡାଇବେଟିସ୍, ଉଚ୍ଚ ରକ୍ତଚାପ, ହୃଦରୋଗ ଭଳି ଆଜ୍ମା (ଶ୍ୱାସରୋଗ) ମଧ୍ୟ ଏକ ଗମ୍ଭୀର ସମସ୍ୟା । ଏହି ରୋଗ ସହରରେ ଦ୍ରୁତ ଗତିରେ ବ୍ୟାପୁଛି । ଭୁବନେଶ୍ୱର ସହରରେ ଶ୍ୱାସରୋଗୀଙ୍କ ସଂଖ୍ୟା ଏକ ଲକ୍ଷ ପାଖାପାଖି ପହଞ୍ଚିଯାଇଛି ।
ବିଶ୍ୱ ଆଜ୍ମା ଦିବସ (୨୭ ଏପ୍ରିଲ୍- ୨ ମେ) ଅବସରରେ ସବୁ ନିଶ୍ୱାସପ୍ରଶ୍ୱାସ ସହିତ ଶ୍ୱାସରୋଗରେ ପରିବର୍ତ୍ତନ-ପରିବର୍ତ୍ତନର ଜୁଆର ଶୀର୍ଷକ ଉପରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଡ. ମନୋରଞ୍ଜନ ଦାଶ, କନସଲଟାଣ୍ଟ, ପଲମୋନରି ମେଡିସିନ୍, କ୍ରିଟିକାଲ କେୟାର ଓ ଡ. ଶୁଶ୍ରତ ଦାସ, ଡ଼ିଡ଼ିସିବି, ଶିଶୁ ରୋଗ (ଭାଇସ ପ୍ରେସିଡ଼େଣ୍ଟ, ଏପି ଏବଂ ଓଡ଼ିଶା) କହିଛନ୍ତି ଯେ, ଶ୍ୱାସରୋଗ ବଢ଼ିବାର ସବୁଠୁ ବଡ଼ କାରଣ ହେଉଛି ଯାନବାହନ ସଂଖ୍ୟାରେ ଦ୍ରୁତ ବୃଦ୍ଧି । ବିକାଶ ନାମରେ ବ୍ୟାପକ ବୃକ୍ଷ ଛେଦନ କରାଯାଉଛି । ଧୂଳି, ଥଣ୍ଡା, ନାକରୁ ପାଣି ବୋହିବା, ପରାଗ ରେଣୁ ଓ ଗୃହପାଳିତ ପଶୁର କେଶ କିମ୍ବା ବାୟୁ ପ୍ରଦୂଷଣ ଶ୍ୱାସରୋଗର ଅନ୍ୟତମ କାରଣ । ବିଗତ କିଛି ବର୍ଷରେ ଆବେଗିକ ଅବସ୍ଥା ଯୋଗୁଁ ମଧ୍ୟ ଶ୍ୱାସରୋଗ ବଢ଼ୁଥିବା ପରିଲକ୍ଷିତ ହୋଇଛି । ହଠାତ ଖୁସି ହୋଇଯିବା କିମ୍ବା ଦୁଃଖି ହୋଇଯିବା ବେଳର କ୍ଷଣିକ ଉତେଜନା ଯୋଗୁଁ ଶ୍ୱାସରୋଗ ବଢ଼ୁଛି । ସହରରେ ଯାନବାହନ ସଂଖ୍ୟା ନିରନ୍ତର ଭାବେ ବଢ଼ିବା ଶ୍ୱାସରୋଗୀଙ୍କ ସଂଖ୍ୟା ବଢ଼ିବାର ଏକ ପ୍ରମୁଖ କାରଣ । ଲକ୍ଷ ଲକ୍ଷ ଗାଡିରୁ ବିପୁଳ ପରିମାଣର ଧୂଆଁ ବାହାରୁଛି ଯେଉଁଥିପାଇଁ ଶ୍ୱାସରୋଗ ବଢ଼ୁଛି । ବୟସ୍କ ଲୋକଙ୍କ ସଂଖ୍ୟାର ୧୦-୧୫ ପ୍ରତିଶତ ଓ ଶିଶୁମାନଙ୍କ ମଧ୍ୟରୁ ୫-୧୦ ପ୍ରତିଶତ ଶ୍ୱାସରୋଗରେ ପୀଡ଼ିତ । ସବୁଠୁ ବଡ଼ ସମସ୍ୟା ହେଉଛି ଶ୍ୱାସରୋଗ ଦ୍ୱାରା ପୀଡ଼ିତ ହୋଇଥିବା ଲୋକମାନେ ସେ ବିଷୟରେ କିଛି ଜାଣିପାରନ୍ତି ନାହିଁ । ଭୁବନେଶ୍ୱରରେ ଶ୍ୱାସରୋଗୀଙ୍କ ସଂଖ୍ୟା ପାଖାପାଖି ଏକ ଲକ୍ଷ ରହିଛି ।
ଚିକିତ୍ସକମାନେ କହିଛନ୍ତି ଯେ ଶ୍ୱାସରୋଗ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରାଯାଇପାରିବ ଓ ଜଣେ ରୋଗୀ ସାଧାରଣ ଜୀବନଯାପନ କରିପାରିବ । ଶ୍ୱାସରୋଗ ପାଇଁ ଇନ୍ହେଲର ଥେରାପି ସର୍ବଶ୍ରେଷ୍ଠ । ଏହା ରୋଗୀର ଫୁସଫୁସରେ ସିଧାସଳଖ ପହଞ୍ଚିବା ସହିତ କାମ ଆରମ୍ଭ କରିଥାଏ । ବିଂଶ ଶତାବ୍ଦୀର ପ୍ରଥମ ୫୦ ବର୍ଷ ଭିତରେ ଟାବଲେଟ୍, ସିରପ୍ ଓ ଇଞ୍ଜେକସନ୍ ଦ୍ୱାରା ଶ୍ୱାସରୋଗର ଚିକିତ୍ସା ହେଉଥିଲା । ଅନେକ ରୋଗୀ ଉପଯୁକ୍ତ ଚିକିତ୍ସାର ଅଭାବ ଯୋଗୁଁ ଜୀବନ ହରାଉଥିଲେ । ୧୯୫୦ ଦଶକ ବେଳକୁ ଶ୍ୱାସରୋଗ ଚିକିତ୍ସା ପାଇଁ କୋର୍ଟିସନ୍ ନାମକ ପ୍ରାକୃତିକ ଷ୍ଟେରଏଡ୍ର ବ୍ୟବହାର ଆରମ୍ଭ ହୋଇଥିଲା । ୧୯୫୬ରେ ଏମ୍ଡିଆଇ (ମିଟର୍ଡ ଡୋଜ୍ ଇନହେଲର୍)ର ପ୍ରୟୋଗ ଆରମ୍ଭ ହୋଇଥିଲା । ଏହି ଉପକରଣରେ ଔଷଧ ସିଧା ଫୁସଫୁସରେ ପହଞ୍ôଚଯାଉଥିଲା ଓ ରୋଗୀଙ୍କୁ ତୁରନ୍ତ ଆରାମ ମିଳୁଥିଲା ଏବଂ ତାହା ସୁରକ୍ଷିତ ମଧ୍ୟ । ଶ୍ୱାସରୋଗରେ ଇନହେଲର୍ର ବ୍ୟବହାର ପ୍ରତି ଲୋକଙ୍କ ମାନସିକତା ବଦଳିବାକୁ ୬ ଦଶକ ସମୟ ଲାଗିଯାଇଥିଲା । ଜୀବନର ଗୁଣବତ୍ତା ଉପରେ ଶ୍ୱାସରୋଗର ପ୍ରଭାବ ଯେତିକି ବୋଲି ଲୋକମାନେ ଭାବୁଛନ୍ତି ବାସ୍ତବ ପ୍ରଭାବ ତାଠାରୁ ବହୁତ ଅଧିକ । ଏହି ରୋଗ ଲୋକମାନଙ୍କ ମାନସିକତା ଦ୍ୱାରା ଅନେକାଂଶରେ ନିୟନ୍ତ୍ରିତ ।
ଡ. ମନୋରଞ୍ଜନ ଦାସ                                                                      ଡ. ଶୁଶ୍ରତ ଦାସ

Comments are closed.