ଦେଶୀ ଘିଅ ନା ସୋରିଷ ତେଲ? ହୃଦୟ ସ୍ୱାସ୍ଥ୍ୟ ପାଇଁ କେଉଁ ତେଲ ସବୁଠାରୁ ଭଲ
ଭାରତୀୟ ରୋଷେଇ ଘରଗୁଡିକରେ ବହୁ ପୁରାତନ ସମୟରୁ ଦେଶୀ ଘିଅ ଓ ସୋରିଷ ତେଲର ବ୍ୟବହାର କରାଯାଇଆସୁଛି, ତେବେ ଯେତେବେଳେ ହୃଦୟ ସ୍ୱାସ୍ଥ୍ୟ କଥା ଆସେ, ସେତେବେଳେ ରୋଷେଇ କରିବା ପାଇଁ ଏହାମଧ୍ୟରୁ କେଉଁ ତେଲ ସର୍ବୋତମ ତାହା ଚୟନ କରିବା ଆମକୁ ଦ୍ୱନ୍ଦରେ ପକାଇଥାଏ। କିଛି ଲୋକ ଘିଅକୁ କ୍ଷତିକାରକ ମାନୁଥିବା ବେଳେ ଆଉ କିଛି ଏହାକୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ତର୍କ ଦେଇଥାନ୍ତି। ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ଏସିଆନ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଆସୋସିଏଟ ଡକ୍ଟର, ଡଃ ଏଲ.କେ. ଝା କିଛି ଜରୁରୀ ତଥ୍ୟ ପ୍ରଦାନ କରିଛନ୍ତି। ଆସନ୍ତୁ ଜାଣିବା ଦେଶୀ ଘିଅ ଓ ସୋରିଷ ତେଲ ମଧ୍ୟରେ ରହିଥିବା ପାର୍ଥକ୍ୟ ସମ୍ପର୍କରେ:
Also read: https://yuvasamay.com/one-yoga-pose-many-benefits-shashankasana/
ଦେଶୀ ଘିଅ
ଆୟୁର୍ବେଦରେ ଦେଶୀ ଘିଅକୁ ଶରୀର ପାଇଁ ଅତ୍ୟଧିକ ଲାଭଦାୟକ ଦର୍ଶାଯାଇଛି। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ ଓ ପାଚନ ପ୍ରଣାଳୀକୁ ମଜବୁତ କରିଥାଏ।
- ପୋଷକ ତତ୍ୱ: ଘିଅରେ ଭିଟାମିନ ଏ, ଡି, ଇ ଓ କେ ଭଳି ଜରୁରୀ ଫ୍ୟାଟ୍-ସଲ୍ୟୁବଲ ଭିଟାମିନ ପ୍ରଚୁର ମାତ୍ରାରେ ରହିଛି।
- କ୍ଷତିର କାରଣ: ଘିଅରେ ମୁଖ୍ୟ ରୂପେ ‘ସାଚୁରେଟେଡ ଫ୍ୟାଟ୍’ ରହିଥାଏ। ଡାକ୍ତରଙ୍କ ଅନୁସାରେ, ଯଦି ଆପଣ ଆବଶ୍ୟକଠାରୁ ଅଧିକ ଘିଅ ଖାଆନ୍ତି ତେବେ ଏହା ଶରୀରରେ ଖରାପ କୋଲେଷ୍ଟ୍ରଲ (ଏଲ୍ଡିଏଲ) ସ୍ତର ବଢାଇଥାଏ, ଯାହା ସମୟକ୍ରମେ ହୃଦୟ ରୋଗର ବିପଦ ବଢାଇଥାଏ।
- ଡାକ୍ତରଙ୍କ ପରାମର୍ଶ: ଦେଶୀ ଘିଅ ସମ୍ପୂର୍ଣ୍ଣ ରୂପେ ଖରାପ ନୁହେଁ। ଯଦି ଆପଣଙ୍କ ଜୀବନଶୈଳୀ ସକ୍ରିୟ ରହିଛି ଅର୍ଥାତ୍ ଆପଣ ନିୟମିତ ଶାରୀରିକ ପରିଶ୍ରମ କରୁଛନ୍ତି ତେବେ ଦିନରେ ୧ରୁ ୨ ଚାମଚ ଘିଅର ସେବନ ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ।
ସୋରିଷ ତେଲ
ଉତର ଓ ପୂର୍ବ ଭାରତରେ ସର୍ବାଧିକ ବ୍ୟବହାର କରାଯାଇଥିବା ସୋରିଷ ତେଲକୁ ହୃଦୟ ସ୍ୱାସ୍ଥ୍ୟ ପାଇଁ ଘିଅଠାରୁ ଟିକେ ଅଧିକ ଉନ୍ନତ ବିକଳ୍ପ ଭାବେ ଗ୍ରହଣ କରାଯାଇଥାଏ।
- ହେଲ୍ଦି ଫ୍ୟାଟର ଭଣ୍ଡାର: ସୋରିଷ ତେଲରେ ମୋନୋସାଚୁରେଟେଡ ଓ ପଲିଅନ୍ସାଚୁରେଟେଡ ଫ୍ୟାଟି ଏସିଡ ରହିଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ।
- ଓମେଗା-୩ ଓ ଓମେଗା-୬: ସୋରିଷ ତେଲରେ ଏହି ଦୁଇ ଫ୍ୟାଟି ଏସିଡ ରହିଥାଏ ଯାହା ଶରୀରରେ ଫୁଲା କମ କରିବା ଓ ରକ୍ତ ପ୍ରବାହକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ।
- କୋଲେଷ୍ଟ୍ରଲ ଉପରେ ପ୍ରଭାବ: ସୋରିଷ ତେଲ ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ କମ କରିବା ଓ ଭଲ କୋଲେଷ୍ଟ୍ରଲ ସ୍ତର ବଜାୟ ରଖିବାରେ ଖୁବ୍ ସାହାଯ୍ୟ କରିଥାଏ। ଗବେଷଣା ଏହା ମଧ୍ୟ ଦର୍ଶାଉଛି ଯେ ସୋରିଷ ତେଲ ଭଳି ‘ଅନସାଚୁରେଟେଡ ଫ୍ୟାଟ’ର ବ୍ୟବହାର ଦ୍ୱାରା ହୃଦରୋଗ ହେବାର ବିପଦ କମ୍ ରହିଥାଏ।
ତେବେ ଉଭୟ ତେଲର ସଠିକ ବ୍ୟବହାର କିଭଳି କରିବା ଆସନ୍ତୁ ଜାଣିବା:
ବିଶେଷଜ୍ଞଙ୍କ କହିବା ଅନୁସାରେ, ଆପଣ ଘିଅର ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାର ଆବଶ୍ୟକତା ନାହିଁ। ଆପଣଙ୍କୁ ନିଜ ରୋଷେଇରେ ଉଭୟକୁ କେବଳ ସନ୍ତୁଳିତ ଓ ଉଚିତ ଉପାୟରେ ଉପଯୋଗ କରିବାକୁ ହେବ। ନିଜର ଦୈନନ୍ଦିନ ଖାଦ୍ୟ ରାନ୍ଧିବା ପାଇଁ ସୋରିଷ ତେଲର ବ୍ୟବହାର କରନ୍ତୁ। ରନ୍ଧା ଯାଇଥିବା ଡାଲି, ରୁଟି କିମ୍ବା ଖେଚୁଡି ଆଦିରେ ଅଳ୍ପ ଘିଅ ପକାଇ ଖାଆନ୍ତୁ। ଆପଣ ପ୍ରତିଦିନ ନିଜ ଖାଦ୍ୟରେ ଯେତିକି ସୋରିଷ ତେଲ ଓ ଘିଅ ବ୍ୟବହାର କରୁଛନ୍ତି ତାହାର ମୋଟ ପରିମାଣକୁ ସୀମିତ ରଖନ୍ତୁ। ଅଧିକ ତେଲ ବ୍ୟବହାର ହୋଇଥିବା ଓ ପ୍ୟାକେଟ ଖାଦ୍ୟରୁ ଦୂରେଇ ରୁହନ୍ତୁ।
ତେବେ ହୃଦୟ ସ୍ୱାସ୍ଥ୍ୟ କେବଳ କୌଣସି ଗୋଟିଏ ଜିନିଷ ଦ୍ୱାରା ନିର୍ଦ୍ଧାରିତ ହୋଇନଥାଏ। ଯଦି ଆପଣ ସଠିକ ତେଲର ସେବନ କରୁଛନ୍ତି କିନ୍ତୁ ଆପଣଙ୍କ ଜୀବନଶୈଳୀ ଖରାପ ଅଛି ତେବେ ମଧ୍ୟ ଆପଣ ହୃଦରୋଗର ଶିକାର ହୋଇପାରନ୍ତି। ହୃଦୟକୁ ସୁସ୍ଥ ରଖିବା ପାଇଁ ଆପଣ ନିୟମିତ ସନ୍ତୁଳିତ ଓ ପୋଷଣଯୁକ୍ତ ଖାଦ୍ୟ ଖାଇବା ସହ ବ୍ୟାୟାମ କରିବା, ନିଜ ଓଜନ ନିୟନ୍ତ୍ରଣରେ ରଖିବା, ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଓ ଚିନ୍ତାମୁକ୍ତ ରହିବା ଜରୁରୀ ଅଟେ।

Comments are closed.