ଟାଟା ଷ୍ଟିଲ୍ ପକ୍ଷରୁ ‘ସାପ ଆମର ବନ୍ଧୁ’ କାର୍ଯ୍ୟକ୍ରମ ଆୟୋଜିତ

- ସାପର ପରିବେଶଗତ ମହତ୍ୱ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି - କାର୍ଯ୍ୟକ୍ରମରେ ଚାଷୀ, ଆଶା କର୍ମୀ, - ଅଙ୍ଗନବାଡ଼ି କର୍ମୀ ଓ ପଞ୍ଚାୟତିରାଜ ସଦସ୍ୟଙ୍କ ଯୋଗଦାନ


ଟାଟା ଷ୍ଟିଲର ଫେରୋ ଆଲଏଜ୍ ଓ ମିନେରାଲସ୍ ଡିଭିଜନ (ଏଫ୍ଏଏମଡି) ପକ୍ଷରୁ ସାପ ସଂକ୍ରାନ୍ତୀୟ ଭ୍ରାନ୍ତ ଧାରଣା ଦୂର କରିବା ତଥା ସାପକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଗୁରୁବାର କମ୍ପାନିର ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ “ସାପ ଆମର ବନ୍ଧୁ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ସାପ ସଂରକ୍ଷଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଏବଂ ମଣିଷ ଓ ସରୀସୃପ ଯେଭଳି ଏକସଙ୍ଗେ ବସବାସ କରିପାରିବେ ତାହାର ପ୍ରସାର କରିବା।

କମ୍ପାନି ପକ୍ଷରୁ ୨୦୧୬ ମସିହା ପରଠାରୁ ଆୟୋଜିତ ହୋଇ ଆସୁଥିବା ଏହି କାର୍ଯ୍ୟକ୍ରମରେ ସାପମାନଙ୍କର ପରିବେଶଗତ ମହତ୍ୱ ଓ ଏକ ସନ୍ତୁଳିତ ପରିବେଶକୁ ବଜାୟ ରଖିବାରେ ସେମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମରେ ସାପ ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିବା ବେଳେ ଜଙ୍ଗଲରେ କିମ୍ୱା ବାସସ୍ଥାନ ଆଖପାଖରେ ସାପ ସହ ମୁହାଁମୁହିଁ ହେଲେ କ’ଣ ପଦକ୍ଷେପ ଗ୍ରହଣ କରିବାକୁ ହେବ ସେବିଷୟରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା।

ଭୁବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ “ସ୍ନେକ୍ ହେଲ୍‌ପଲାଇନ୍‌” ସହଯୋଗିତାରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କଂପାନିର କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ସଫେଇ, ଉଦ୍ୟାନ କୃଷି ଓ ନିରାପତ୍ତା ବିଭାଗର ଆଗ ଧାଡ଼ିର କର୍ମୀ ଏବଂ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି ଗୋଷ୍ଠୀ ସ୍ୱାସ୍ଥ୍ୟ ସଦସ୍ୟ, ସ୍ଥାନୀୟ ଚାଷୀ, ପଂଚାୟତିରାଜ ଅନୁଷ୍ଠାନର (ପିଆରଆଇ) ସଦସ୍ୟ, ସ୍କୁଲ୍ ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସାପ ସଂକ୍ରାନ୍ତରେ ସଚେତନତାର ପ୍ରସାର କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।

ଓଡ଼ିଶାର ସର୍ପ ମାନବ ଭାବେ ପରିଚିତ ତଥା ସ୍ନେକ୍ ହେଲ୍‌ପଲାଇନ୍‌ର ସାଧାରଣ ସମ୍ପାଦକ ଓ ପ୍ରତିଷ୍ଠାତା ଶୁଭେନ୍ଦୁ ମଲ୍ଲିକ ଅଂଶଗ୍ରହଣକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ସାପକୁ ନେଇ ଲୋକମାନଙ୍କ ମଧ୍ୟରେ ଯେଉଁ ମିଥ୍ୟା ଓ ଭ୍ରାନ୍ତଧାରଣା ରହିଛି ତାହାକୁ ସେ ଦୂର କରିବା ସହିତ ପ୍ରାକୃତିକ ପରିବେଶ ପ୍ରତି ସାପମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ସେ ଆଲୋକପାତ କରିଥିଲେ। ସାପ ସହ ହଠାତ ମୁହାଁମୁହିଁ ହୋଇଗଲେ କ’ଣ କରିବେ, ପେସାଦାର ସାପ ଧରାଳିଙ୍କ ସହାୟତା ନେବାର ଗୁରୁତ୍ୱ ଏବଂ ସାପ ଦେଖିବା ମାତ୍ରେ ସେ ବିଷୟରେ ସଂପୃକ୍ତ କର୍ତୃପକ୍ଷଙ୍କୁ ଅବଗତ କରିବାର ଲାଭ ବିଷୟରେ ସେ ଆଲୋଚନା କରିଥିଲେ।

ଜୈବବିବିଧତାର ସଂରକ୍ଷଣ ଓ ପରିବେଶ ସୁରକ୍ଷା ପ୍ରତି ଟାଟା ଷ୍ଟିଲର ପ୍ରତିବଦ୍ଧତାକୁ ଦର୍ଶାଇ କମ୍ପାନିର ଫେରୋ ଆଲଏଜ୍ ଓ ମିନେରାଲସ୍ ଡିଭିଜନର ଏକ୍ଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “ପ୍ରକୃତି ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗଢ଼ି ତୋଳିବାରେ ଆମେ ସର୍ବଦା ବିଶ୍ବାସ କରି ଆସିଛୁ। “ସାପ ଆମର ବନ୍ଧୁ” କାର୍ଯ୍ୟକ୍ରମ ଜରିଆରେ ସୁକିନ୍ଦା ଅଞ୍ଚଳର ଜୈବବିବିଧତାର ସୁରକ୍ଷା ତଥା ଏଥିରେ ସାପ ପରି ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଗୁରୁତତ୍ୱପୂର୍ଣ୍ଣ ଭୂମିକାକୁ ନେଇ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ। ଏହି ଶାନ୍ତ ଓ ବିରଳ ପ୍ରଜାତିକୁ ଭଲ ଭାବେ ବୁଝିବା ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ।’’

କମ୍ପାନି ପକ୍ଷରୁ ୨୦୧୬ ମସିହା ଠାରୁ ଆୟୋଜିତ ହୋଇ ଆସୁଥିବା ଏହି କାର୍ଯ୍ୟକ୍ରମରେ ସାପ ଓ ସେମାନଙ୍କ ବାସସ୍ଥାନ ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଏଫ୍ଏଏମଡି ଖଣି ମୁଖ୍ୟ ଶମ୍ଭୁନାଥ ଝା, ସୁକିନ୍ଦା ଖଣି ମୁଖ୍ୟ ଦେବରାଜ ତିୱାରି, ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର, ଟାଟା ଷ୍ଟିଲ ଫାଉଣ୍ଡେସନ ସୁକିନ୍ଦା ୟୁନିଟ୍ ମୁଖ୍ୟ ଡା ଜୟନ୍ତ ତ୍ରିପାଠୀ, ବରିଷ୍ଠ ଆଞ୍ଚଳିକ ପ୍ରବନ୍ଧକ (ନିରାପତ୍ତା) ଅଞ୍ଜନା ତିୱାରି, ପ୍ରଶାସନିକ ସହପ୍ରବନ୍ଧକ ନିଶାନ ମହାନ୍ତି ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Share It

Comments are closed.